ହାଇକୋର୍ଟରେ କାର୍ଯ୍ୟକ୍ରମ ଆରମ୍ଭ ଲାଗି ସ୍ୱତନ୍ତ୍ର ଗାଇଡଲାଇନ ଜାରି

କଟକ,ଏନ୍ଏନ୍ଏସ୍: ରାଜ୍ୟରେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହେବା ପରେ ଆସନ୍ତା ୫ ତାରିଖରୁ ୧୭ ତାରିଖ ମଧ୍ୟରେ ହାଇକୋର୍ଟରେ କାର୍ଯ୍ୟ ଆରମ୍ଭ ହେବ। ଏନେଇ ଏକ ନୂଆ ଗାଇଡଲାଇନ୍‌ ଜାରି ହୋଇଛି। ଗାଇଡଲାଇନ ଅନୁସାରେ, ପ୍ରତ୍ୟେକ କାର୍ଯ୍ୟ ଦିବସରେ ହାଇକୋର୍ଟର ଗୋଟିଏ ଖଣ୍ଡପୀଠ ଏବଂ ୭ଟି ଜଣିକିଆ ଅଦାଲତ କାର୍ଯ୍ୟ କରିବ। ପ୍ରତିଦିନ ସାଢ଼େ ୧୦ଟାରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହିସବୁ ଅଦାଲତରେ ବିଭିନ୍ନ ମାମଲାର ଶୁଣାଣି ହେବ। ହାଇକୋର୍ଟର ଅଫିସ ଏଣିକି ସମ୍ପୂର୍ଣ୍ଣ କର୍ମଚାରୀରେ କାର୍ଯ୍ୟ କରିବ।

ପ୍ରତ୍ୟେକ କର୍ମଚାରୀ ହାଇକୋର୍ଟକୁ ଆସିବାବେଳେ ସାଥିରେ ପରିଚୟପତ୍ର ଆଣିବା ବାଧ୍ୟତାମୂଳକ କରାଯାଇଛି। ହାଇକୋର୍ଟର ଅଫିସର ଓ କର୍ମଚାରୀଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। କେବଳ ଆଇନଜୀବୀଙ୍କୁ କେତେକ କ୍ଷେତ୍ରରେ ଆସିବା ପାଇଁ ଅନୁମତି ଦିଆଯାଇପାରିବ। ସେହିପରି ମାମଲାର ଫାଇଲିଂ ଓ ମାମଲା ସଂକ୍ରାନ୍ତ ବିଭିନ୍ନ ଡକ୍ୟୁମେଣ୍ଟ ଡ୍ରପ୍‌ ବକ୍ସରେ ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୨ଟା ମଧ୍ୟରେ ପକାଯିବ। ଇ-ମେଲ୍‌ ଜରିଆରେ ମଧ୍ୟ ଫାଇଲିଂ କରାଯାଇପାରିବ।

ପ୍ରତ୍ୟେକ ଫାଇଲର ସାନିଟାଇଜେସନ୍‌ ପାଇଁ ଡ୍ରପ୍‌ ବକ୍ସରେ ପଡିବାର ଗୋଟିଏ ଦିନ ପରେ ମାମଲା ପଞ୍ଜିକୃତ ହେବ। ଯଦି କୌଣସି ମାମଲାର ଜରୁରୀକାଳୀନ ଶୁଣାଣି ହେବାର ଥାଏ ତା’ହେଲେ ଏକ୍ଷେତ୍ରରେ ଜୁଡିସିଆଲ ରେଜିଷ୍ଟ୍ରାର ଏବଂ ଡେପୁଟି ରେଜିଷ୍ଟ୍ରାରଙ୍କ ନିକଟରେ ଭିଡିଓ୍‌ କନ୍‌ଫରେନ୍ସିଂ ଜରିଆରେ ସକାଳ ୧୧ଟାରୁ ୧୨ଟା ମଧ୍ୟରେ ରୁଜୁ କରାଯାଇପାରିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।