ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ପାଳନ: ୯୫ କୋଟି ବ୍ୟୟରେ ଦୟା ନଦୀରେ ଏକ ଇନଷ୍ଟ୍ରିମ ଷ୍ଟାେରଜ ପ୍ରକଳ୍ପ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ବର,ଏନ୍ଏନ୍ଏସ୍: ଆଜି ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ ହେଉଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ସାମିଲ ହୋଇଛନ୍ତି ଦେଶ ବିଦେଶର ଶତାଧିକ ବୌଦ୍ଧ ସନ୍ୟାସୀ। ବିଶ୍ୱ ଶାନ୍ତି ଉଦ୍ଦେଶ୍ୟରେ ବୌଦ୍ଧ ସାଧୁ ସନ୍ଥଙ୍କ ଶାନ୍ତିମନ୍ତ୍ରରେ କମ୍ପୁଛି ପରିବେଶ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ମୁଖମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ, ଧଉଳି ଶାନ୍ତିସ୍ତୂପ ବିଶ୍ବଶାନ୍ତିର ବାର୍ତ୍ତା ପ୍ରଚାର କରୁଛି। ଏହା ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଛି। ଏହି ଧଉଳି ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟକରଣ ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଏକ ଜାତୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇଛି ବୋଲି ନବୀନ କହିଛନ୍ତି। ହିଂସା ଓ ଯୁଦ୍ଧରୁ ଶାନ୍ତି ପ୍ରତିଷ୍ଠାର ମୂକସାକ୍ଷୀ ହେଉଛି ଓଡ଼ିଶା। ଧଉଳି ଶାନ୍ତିସ୍ତୂପ ହେଉଛି ମାନବତା ବିଜୟର ବଡ଼ ପ୍ରତୀକ। ଆସନ୍ତୁ ଆମେ ହାତ ମିଳାଇ ଏକ ସୁସ୍ଥ, ସମୃଦ୍ଧ ଓ ଶାନ୍ତି ପୃଥିବୀ ଗଠନ କରିବା ନେଇ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯାେଗଦେଇ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଧଉଳି ଆଜି ଶାନ୍ତିମନ୍ତ୍ରରେ କମ୍ପୁଛି। ଏହା ସମସ୍ତଙ୍କ ପାଇଁ ସୁବର୍ଣ୍ଣ ମୁହୂର୍ତ୍ତ। କଳିଙ୍ଗ ଯୁଦ୍ଧ ଓ ଧଉଳି ପୃଥିବୀ ଇତିହାସରେ ଯାେଡ଼ିଛି ନୂଆ ଅଧ୍ୟାୟ। ବିଶ୍ବ ଶାନ୍ତି ଓ ସହାବସ୍ଥାନର ବାର୍ତ୍ତା ଦେଇଛି ଏ ପବିତ୍ର ସ୍ଥାନ। ଏ ଶାନ୍ତି ସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ଆମ ସମସ୍ତଙ୍କ ପାଇଁ ଗର୍ବ, ଗୌରବ ଓ ଆନନ୍ଦର ପର୍ବ। ଧଉଳି ହେଉଛି ଆଧୁନିକ ସ୍ଥାପତ୍ୟ କଳାର ବଡ଼ କୀର୍ତ୍ତିରାଜି। ବିଶ୍ବ ଶାନ୍ତି ଓ ଭାରତ-ଜାପାନ ବନ୍ଧୁତାର ଏହା ହେଉଛି ନିଦର୍ଶନ।
