ମତ୍ସ୍ୟ ବିଭାଗ ବୈଷୟିକ କର୍ମଚାରୀ ସଂଘର ସାଧାରଣ ଅଧିବେଶନ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

ଭୁବନେଶ୍ୱର,ଏନ୍ଏନ୍ଏସ୍‌: ରେଡ଼କ୍ରସ ଭବନ ସମିଳନୀ କକ୍ଷରେ ଓଡ଼ିଶା ମତ୍ସ୍ୟବିଭାଗ ବୈଷୟିକ କର୍ମକ୍ସରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଜେଏଫ୍‌ଟିଏ ଓ ଏସ୍ଏଫ୍‌ଟିଏମାନେ ଯୋଗ ଦେଇଥିଲେ । ଏହି ଅଧିବେଶନରେ ମୁଖ୍ୟତଃ କର୍ମଚାରୀମାନଙ୍କ କର୍ମକ୍ଷେତ୍ରରେ ଅନୁଭବ କରୁଥିବା ସମସ୍ୟା, ଦରମା, ଗ୍ରେଡ଼ ପେ, ପଦୋନ୍ନତି ଭଳି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ସଂଘର ମୁଖ୍ୟତଃ ୪ ଦଫା ଦାବି ନେଇ ଆଗାମୀ ଦିନରେ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।

ଦାବିଗୁଡ଼ିକ ହେଲା-
(୧) ୬ବର୍ଷ ଚୁକ୍ତିଭିତ୍ତିକ ନିଯୁକ୍ତି ସମୟକୁ ଚାକିରୀ ସମୟ ଭିତରେ ଗଣନା କରିବା
(୨) ଦୀର୍ଘ ୩୦ ବର୍ଷ ପୂର୍ବରୁ ସରକାର ଜେଏଫଟିଏ ମାନଙ୍କର ଗ୍ରେଡ଼ ପେ ୧୮୦୦ଟଙ୍କା ରଖୁଥିବା ପରିପ୍ରେକ୍ଷୀରେ ଆଜି ପର୍ଯ୍ୟନ୍ତ ପରିବର୍ତ୍ତନ ନ କରିବାରୁ ୨୮୦୦ ଟଙ୍କାକୁ ବୃଦ୍ଧି କରିବା
(୩) ଅନ୍ୟ ବିଭାଗ ଭଳି ଚାକିରୀ ସର୍ତ୍ତାବଳୀ ପୁନର୍ଗଠନ କରି ଉପଯୁକ୍ତ ପ୍ରାଧ୍ୟ, ଅନ୍ୟାନ୍ୟ ସରକାରୀ ସୁବିଧା ଓ ପ୍ରମୋସନର ସୁବିଧା ଯୋଗାଇଦେବା
(୪) ପୂର୍ବରୁ ନିଯୁକ୍ତି ପାଇଥିବା ଏଲିଜିବିଲିଟ କ୍ରାଏଟରିଆ ଯୁକ୍ତ ଦୁଇ ବିଜ୍ଞାନ ଓ ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷା ପରିବର୍ତ୍ତେ ଡ଼ିପ୍ଲୋମା ଫିସେରୀ କରିବା

ଏହି ଅଧିବେଶନରେ ପ୍ରାୟ ୧୭୬ ଜଣ ଜେଏଫ୍‌ଟିଏ ଓ ଏସ୍ଏଫ୍‌ଟିଏ କର୍ମଚାରୀମାନେ ଯୋଗ ଦେଇଥିଲେ ଓ ସେମାନଙ୍କର ୨୦ ୨୨ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଆଜି ଚୟନ କରାଯାଇଥିଲା । ସଂଘର ନୂତନ ସଭାପତି ଭାବେ ମହେନ୍ଦ୍ର ପରମାଣିକ ଏବଂ ସାଧାରଣ ସମ୍ପାଦକ ଭାବେ ପର୍ଶୁରାମ ତ୍ରିପାଠୀ ନିର୍ବାଚିତ ହୋଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଶାନ୍ତନୁ କୁମାର ସାହୁ, ପାଣ୍ଡବ ଡେଲକୀ, କିରଣ କୁମାର ସ୍ୱାଇଁ ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମ ସମ୍ପାଦକ ଭାବେ ରାଜେନ୍ଦ୍ର କୁମାର ମୁଖୀ, ଯୁଗ୍ମ ସମ୍ପାଦକ ଅଫିସ୍ ଭାବେ ସିଦ୍ଧାର୍ଥ ସ୍ୱରୂପ ଜେନା, ଯୁଗ୍ମ ସମ୍ପାଦକ ଅର୍ଥ ଭାବେ ବିଶ୍ଵନାଥ ନାୟକ ନିର୍ବାଚିତ ହୋଇଛନ୍ତି । ଅନିତା ବେଉରା, କାର୍ଯ୍ୟକାରୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ।