ଲକଡାଉନ ସମୟରେ ୩ ଦିନ ଧରି ବସ୍ତି ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି ଗଣପତି କ୍ଲବର ସଦସ୍ୟ

ଭୁବନେଶ୍ବର,ଏନ୍ଏନ୍ଏସ୍: ଗଣପତି ନଗର ଗଣେଶ କ୍ଲବର ସଦସ୍ୟମାନେ ଲଗାତର ୩ ଦିନ ଧରି ବସ୍ତିର ସବୁ ଭୋକିଲାଙ୍କୁ ଖାଦ୍ୟ ଯୋଗେଇ ଚାଲିଛନ୍ତି। ଦିନରେ ଯେଉଁମାନଙ୍କ ପାଖରେ କିଛି ଅଛି ସେମାନଙ୍କ ଠାରୁ ଆଦାୟ କରୁଛନ୍ତି। ସବୁ ଦିନ ସନ୍ଧ୍ୟାରେ ପରିବା ଦୋକାନୀଙ୍କ ଠାରୁ ବୁଲି ବୁଲି ପରିବା ଆଦାୟ କରୁଛନ୍ତି। ପାହାନ୍ତିଆରୁ ଉଠି ନିଜେ ରୋଷେଇ କରି ପ୍ରତିଦିନ ଅନ୍ୟୁନ ୨୫୦ରୁ ଅଧିକ ଲୋକଙ୍କୁ ନିଜେ ଘର ଘର ବୁଲି ଖାଇବାକୁ ଦେଉଛନ୍ତି।

ଏହି ବସ୍ତିର ବ୍ୟାପକ ଲୋକ ଭୋକ ଉପାସରେ ପଡ଼ିଥିଲେ। ସରକାରଙ୍କ ପକ୍ଷରୁ କୌଣସି ସହାୟତା ଅବା ଖାଦ୍ୟ ନଯୋଗାଇବା ପରେ ବସ୍ତି ସୁରକ୍ଷା ମଞ୍ଚର ପିପୁଲସ ଟୁ ପିପୁଲ ହେଲ୍ପ ନେଟୱାର୍କ ଦ୍ୱାରା ପ୍ରଭାବିତ ହୋଇ ଏଭଳି କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସରକାର ଦାୟିତ୍ୱ ନେବା ପର୍ଯ୍ୟନ୍ତ ସେମାନେ ମାଗିଯାଚି ଭୋକିଲାଙ୍କ ପେଟରେ ଦାନା ଦେବାକୁ ଦୃଢ଼ ମନୋବଳ ନେଇ କାର୍ଯ୍ୟ ଜାରି ରଖିଛନ୍ତି। ଗଣେଶ କ୍ଲବର ସଭାପତି ବଳରାମ ଦିଗାଲ, ସମ୍ପାଦକ ମୁନା, ତାଙ୍କର ଉପଦେଷ୍ଟା ଗୋପୀନାଥ ନାୟକ ତଥା ସମସ୍ତ ସଦସ୍ୟଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଏହି କାର୍ଯ୍ୟ କରିବା ବେଳେ ସେମାନେ ସର୍ବଦା ସାମାଜିକ ଦୂରତ୍ୱ ନିୟମକୁ କଡାକଡି ପାଳନ କରିଥାନ୍ତି।