କରୋନା ମୃତକଙ୍କ ପିଲାଙ୍କୁ କିଟ ବିଶ୍ଵବିଦ୍ୟାଳୟରେ ସମ୍ପୂର୍ଣ୍ଣ ନିଃଶୁଳ୍କ ଶିକ୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବଢି ଚାଲିଥିବାବେଳେ ରାଜ୍ୟରେ କେତେକ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଛି। ଏହି ସମୟରେ ଦୁଃଖରେ ଥିବା କରୋନା ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଛି କିଟ ବିଶ୍ୱବିଦ୍ୟାଳୟ। କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅନୁରୋଧକ୍ରମେ କିଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। କିଟ ବିଶ୍ଵବିଦ୍ୟାଳୟର ନିଷ୍ପତି ଅନୁସାରେ ଓଡିଶାରେ କରୋନାରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାର କୌଣସି ପୁଅ ବା ଝିଅ କିଟରେ ବୈଷୟିକ ଉଚ୍ଚ ଶିକ୍ଷା ପାଇଁ ଯଦି ଆଗ୍ରହୀ ଥାଆନ୍ତି, ତେବେ ସେମାନଙ୍କ ନାମଲେଖା ଯୋଗ୍ୟତା ଅନୁସାରେ ସେମାନଙ୍କୁ କିଟ ବିଶ୍ଵବିଦ୍ୟାଳୟରେ ଯେ କୌଣସି ବୈଷୟିକ (ଟେକ୍‍ନିକାଲ) ଓ ବୃତ୍ତିଗତ (ପ୍ରଫେସନାଲ) ପାଠ୍ୟକ୍ରମରେ ସମ୍ପୂର୍ଣ୍ଣ ମାଗଣାରେ ପଢିବାର ସୁଯୋଗ ଦିଆଯିବ।

ଆସନ୍ତା ୨ ଶିକ୍ଷା ବର୍ଷ ୨୦୨୦-୨୧, ୨୦୨୧-୨୨ ବର୍ଷ ପାଇଁ ଏହା ଲାଗୁ ହେବ ବୋଲି କିଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ), ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏବଂ ଆର୍ଥିକ ଅନଗ୍ରସର ବରଗଡ଼ ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବ। କରୋନା ମହାମାରୀ ସମୟରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କାରୋନାରେ ଅସହାୟ ହୋଇପଡିଥିବା ଓଡିଶାବାସୀଙ୍କୁ କିଛିଟା ଆଶ୍ୱସ୍ତି ଦେବ ବୋଲି ପ୍ରତିଷ୍ଠାତା ଶ୍ରୀ ସାମନ୍ତ କହିଛନ୍ତି।