ଏଣିକି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ବ୍ୟବସ୍ଥା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୁର୍ଘଟଣାଜନିତ ମୃତ୍ୟୁହାର କମାଇବା ପାଇଁ ତୁରନ୍ତ ଚିକିତ୍ସା ଅତି ଜରୁରୀ। ଡ଼ାକ୍ତରଙ୍କ କହିବା ଅନୁସାରେ ଦୁର୍ଘଟଣାର ପ୍ରଥମ ୧୫ରୁ ୩୦ ମିନିଟ୍ ଗୋଲ୍ଡେନ୍ ଆୱାର ବା ପ୍ରଥମ ୪୮ଘଣ୍ଟା ଗୁରୁତ୍ୱପୂର୍ଣ୍ଣ। ଏହି ସମୟ ଭିତରେ ଯଦି ଦୁର୍ଘଟଣାକାରୀଙ୍କ ଆବଶ୍ୟକୀୟ ଚିକିତ୍ସା କରାଯାଇପାରିବ, ତାହାଲେ ରୋଗୀ ବଞ୍ଚିବାର ସମ୍ଭାବନା ରହିଛି।

ତେଣୁ ଏହି ସମୟ ଭିତରେ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ସେଥିପାଇଁ ଦୁର୍ଘଟଣାକାରୀଙ୍କୁ ଚିକିତ୍ସା କ୍ଷେତ୍ରରେ ପ୍ରଥମ ଥର ପାଇଁ ଘରୋଇ ହସ୍ପିଟାଲରେ ଚିକିତ୍ସାରେ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆପୋଲ ହସ୍ପିଟାଲ, ଆମ୍ରି ହସ୍ପିଟାଲ ଓ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା କରାଯାଇଛି।

ଯଦି କୌଣସି ଲୋକ ଦୁର୍ଘଟଣାର ଶିକାର ହୁଅନ୍ତି, ତାହାହେଲେ ଏହି ହସ୍ପିଟାଲରେ ପ୍ରାଥମିକ ଅବସ୍ଥା ଚିକିତ୍ସା ହୋଇପାରିବେ। ଏହାର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ତାଙ୍କର ରାସ୍ତା ସୁରକ୍ଷା ପାଣ୍ଠିରୁ ଭରଣ କରିବେ। ଏଥିପାଇଁ ପ୍ରଥମ ଦଫାରେ ୪କୋଟି ଟଙ୍କା ରାସ୍ତା ସୁରକ୍ଷା ପାଣ୍ଠିରୁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ହୋଇଛି। ସେହିପରି ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ସହରରେ ଏହି ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯିବ।

ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ଘରୋଇ ହସ୍ପିଟାଲରେ ପହଞ୍ଚିବା ପରେ ତୁରନ୍ତ ଚିକିତ୍ସା ଆରମ୍ଭ କରି ଡିଏମ୍ଇଟିଙ୍କୁ ଜଣାଇବେ। ଡିଏମ୍ଇଟି ଚିକିତ୍ସା ପାଇଁ ଆଦେଶ ଦେବେ। ଚିକିତ୍ସାର ୪୮ ଘଣ୍ଟା ପରେ ଚିକିତ୍ସା କରୁଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଡିଏମ୍ଇଟିଙ୍କୁ ଜଣାଇବେ। ଡିଏମ୍ଇଟି ଉପଯୁକ୍ତ ପରୀକ୍ଷା ପରେ ଏକ ସପ୍ତାହ ମଧ୍ୟରେ ଦେୟ ପ୍ରଦାନ କରିବେ।

ପରିବହନ ବିଭାଗ ଦ୍ୱାରା ଷ୍ଟେଟ୍ ବ୍ୟାଙ୍କରେ ଫ୍ରି ଟ୍ରିଟ୍ମେଣ୍ଟ୍ ଫର୍ ଟ୍ରମା ଫଣ୍ଡ୍ ନାମରେ ଗଚ୍ଛିତ ହେବ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣେ ନୋଡାଲ ଅଫିସର ଓ ପ୍ରୋଗ୍ରାମ ସହାୟକ ଏହି ଦାୟିତ୍ୱରେ ରହିବେ ବୋଲି ପରିବହନ ବିଭାଗ ପକ୍ଷରୁ ଅବଗତ କରାଯାଇଛି।