୪ବର୍ଷର ଭିନ୍ନକ୍ଷମ ଶିଶୁକନ୍ୟାଙ୍କୁ ଦୁଷ୍କର୍ମ, ପରିବା ବେପାରୀ ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ଏକ ୪ ବର୍ଷର ଭିନ୍ନକ୍ଷମ ଶିଶୁକନ୍ୟା ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ନୟାପଲ୍ଲୀ ଥାନା ସାଲିଆସାହି ଅଞ୍ଚଳରେ ଏହି ଘଟଣା ଘଟିଛି। ପୁଲିସ ସମ୍ପୃକ୍ତ ଶିଶୁକନ୍ୟାକୁ ହସ୍ପିଟାଲରେ ଭର୍ତ୍ତି କରିବାସହ ଦୁଷ୍କର୍ମକାରୀ ପଡ଼ୋଶୀ ତଥା ପରିବା ବେପାରୀକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ଗଞ୍ଜାମ ଜିଲ୍ଲାର ବରୁଣ ନାୟକ। ସେ ସାଲିଆସାହି ନୀଳଚକ୍ରନଗର ପ୍ରଧାନ ସାହିରେ ରହୁଥିଲା। ରବିବାର ଅଭିଯୁକ୍ତର ଡାକ୍ତରୀମାଇନା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି। ଜାମିନ୍ ନାମଞ୍ଜୁର ହୋଇଯିବାରୁ ତାକୁ ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଛି। ଅନ୍ୟପଟେ ପୀଡ଼ିତା ଶିଶୁକନ୍ୟାର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ବରୁଣ ନାୟକ ଗଞ୍ଜାମରୁ ଆସି ପରିବାର ସହ ପ୍ରଧାନସାହିରେ ରହୁଥିଲା। ବରୁଣଙ୍କ ପଡ଼ୋଶୀଭାବେ ନୟାଗଡ଼ ଅଞ୍ଚଳର ଦମ୍ପତି ରହୁଥିଲେ। ତାଙ୍କର ଏକ ୪ ବର୍ଷର ଭିନ୍ନକ୍ଷମ ଝିଅ ଅଛି। ଶୁକ୍ରବାର ବିଳମ୍ବିତ ରାତିରେ ସମ୍ପୃକ୍ତ ଶିଶୁକନ୍ୟା ଜଣକ ପରିଶ୍ରା କରିବାକୁ ବାହାରକୁ ଯାଇଥିଲା। ଏହାର ସୁଯୋଗ ନେଇ ବରୁଣ ଶିଶୁକନ୍ୟାର ପାଟି ବନ୍ଦ କରି ତା’ ସହିତ ଦୁଷ୍କର୍ମ କରିଥିଲା।