ଅଫଲାଇନ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ ଶେଷ

  • କଟକ: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ବଦଳରେ ହୋଇଥିବା ମୂଲ୍ୟାୟନକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ଦେଖିବାକୁ ମିଳିଥିଲା। ହେଲେ ଏହାର ବିକଳ୍ପ ବ୍ୟବସ୍ଥାଭାବେ ବୋର୍ଡ ପକ୍ଷରୁ ହେବାକୁ ଥିବା ଅଫ୍ଲାଇନ୍ ପରୀକ୍ଷା ପାଇଁ ତାରିଖ ଶେଷ ହୋଇଥିବାବେଳେ ଖୁବ କମ ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି। ପରୀକ୍ଷା ପାଇଁ ଗତକାଲି ଅନଲାଇନ ଫର୍ମପୂରଣ ଶେଷ ହେବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ପରୀକ୍ଷାର୍ଥୀଙ୍କ ସମେତ ମୂଲ୍ୟାୟନ ବ୍ୟବସ୍ଥାରୁ ବଞ୍ଚିତ ଥିବା ଛାତ୍ରଛାତ୍ରୀ, କରେସପଣ୍ଡେଣ୍ଟ ପରୀକ୍ଷାର୍ଥୀ, ଷ୍ଟେଟ ଓପନ ସ୍କୁଲ ଆଦି ସବୁବର୍ଗକୁ ମିଶାଇ ମାତ୍ର ୧୫ ହଜାର ୨୭ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଛନ୍ତି। ସେଥିମଧ୍ୟରୁ ଚଳିତ ମାଟ୍ରିକ ରେଗୁଲାର ପରୀକ୍ଷା ଫଳାଫଳରେ ଅସନ୍ତୁଷ୍ଟ ଥିବା ମାତ୍ର ୨୨୪୪ଜଣ ଛାତ୍ରଛାତ୍ରୀ ଅଫ୍ଲାଇନ ପରୀକ୍ଷା ପାଇଁ ଫର୍ମପୂରଣ କରିଛନ୍ତି ।ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ବ୍ୟବସ୍ଥାରୁ ବଞ୍ଚିତ ହୋଇଥିବା ୧୪୭ ଜଣ ଛାତ୍ରଛାତ୍ରୀ ନୂଆ ପରୀକ୍ଷାର୍ଥୀ ଭାବେ ଫର୍ମପୂରଣ କରିଛନ୍ତି। ସେହିପରି ୧୮୧୪ ଜଣ ଏକ୍ସ ରେଗୁଲାର, କରେସପଣ୍ଡେଣ୍ଟ କୋର୍ସରୁ ୨୨୮୦ ଜଣ, ଷ୍ଟେଟ ଓପନ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସ୍ସି) ପରୀକ୍ଷା ପାଇଁ ୮ ହଜାର ୫୪୨ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଛନ୍ତି। ଅଫ୍ଲାଇନ ମାଟ୍ରିକ ପରୀକ୍ଷା ଆସନ୍ତା ୩୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖରେ ଶେଷ ହେବ ବୋଲି ବୋର୍ଡ ପକ୍ଷରୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି।