କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆକାଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: କ୍ରାଇମବ୍ରାଞ୍ଚର ସାଇବର ସେଲ୍ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇଛି। ଶୁକ୍ରବାର ସାଇବର ସେଲର ଏକ ୫ଜଣିଆ ଟିମ ଝାରପଡ଼ା ଜେଲରୁ ତାଙ୍କୁ ହେପାଜତକୁ ନେଇଥିଲେ। ପରେ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ କଟକସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କୁ ପଚରାଉଚରା କରାଯାଉଛି। ଏହି ରିମାଣ୍ଡ ଅବଧି ବେଳେ କ୍ରାଇମବ୍ରାଞ୍ଚ ଠକେଇ, ନିଯୁକ୍ତି ଜାଲିଆତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ବିଚାରବିଭାଗୀୟ ହାଜତରେ ଥିବା ଆଇଏଫଏସ୍ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯାଇଥିଲା। ୧୪ ଦିନିଆ ଜୁଡିସିଆଲ୍ ରିମାଣ୍ଡ ସରିବା ପରେ ତାଙ୍କୁ ନିୟମ ଅନୁସାରେ ଅଦାଲତରେ ହାଜର କରାଯାଇଥିଲା।  ଏହି ସମୟରେ କମିଶନରେଟ ପୁଲିସ ସ୍କାଏ କିଙ୍ଗ ଠକେଇ ମାମଲାରେ ତାଙ୍କୁ ରିମାଣ୍ଡ ଦେଇଥିଲା। କୋର୍ଟକୁ ଆସିବା ସମୟରେ ଆକାଶ ଗଣମାଧ୍ୟମକୁ କହିଥିଲେ, ମୁଁ ନିର୍ଦ୍ଦୋଶ, ମୋ ପାଖରେ ସବୁ ପ୍ରମାଣ ଅଛି, କାହାକୁ ଠକି ନାହିଁ। ପୂର୍ବରୁ ସେ ଷଡ଼ଯନ୍ତ୍ରର ଶୀକାର ହୋଇଥିବା କହିଥିଲେ। ତେବେ ସେ କୋର୍ଟରେ ହାଜର ହୋଇ ଜେଲ୍ ଯିବା ପରେ ଅପରାହ୍ଣରେ କ୍ରାଇମବ୍ରାଞ୍ଚ ତାଙ୍କୁ ରିମାଣ୍ଡରେ ନେଇଥିଲା।

କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଆକାଶ ପାଠକ ନିଜକୁ ଟାଟା କମ୍ପାନୀର ପାସେଞ୍ଜର ବିଭାଗର ଏମ୍ଡି ବୋଲି ପରିଚୟ ଦେଇ ଠକେଇ ଓ ଜାଲିଆତି କରୁଥିବା ନେଇ କ୍ରାଇମବ୍ରାଞ୍ଚର ସାଇବର ସେଲରେ ଅଭିଯୋଗ ହୋଇଛି। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ୨୬/୨୦ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ତଦନ୍ତ ବେଳେ ଟାଟାରେ ନିଯୁକ୍ତି ଦେବାକୁ କହି ଗଞ୍ଜାମ ଜିଲ୍ଲା ଗୋପାଳପୁର ଅଞ୍ଚଳର ୬୮ ଜଣଙ୍କ ଠାରୁ କୋଟିଏରୁ ଅଧିକ ଟଙ୍କା ଠକେଇ ହୋଇଥିବା ଜଣାପଡିଛି। ଆକାଶ ଟାଟା ମୋଟର୍ସ ଲିମିଟେଡ୍ ନାଁରେ ପୁଣେ ପିମ୍ପ୍ରି, ଟେଲକୋ ରୋଡରେ ଏକ ଜାଲି ଅଫିସ୍ ଖୋଲି ନକଲି ଲେଡରହେଡ ବନାଇ ୬୮ଜଣଙ୍କୁ ଫେକ୍ ଅଫରେ ଲେଟର ଦେଇଥିଲେ। ଯାହାର କାଗଜପତ୍ର ମଧ୍ୟ ଜବତ କରାଯାଇଛି। ଏସବୁ ତଥ୍ୟକୁ ଆଧାର କରି କ୍ରାଇମବ୍ରାଞ୍ଚ ଖୋଳତାଡ ଚଳାଇଛି।

ଏହି ଘଟଣାରେ ଆକାଶଙ୍କୁ ସହଯୋଗ କରୁଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଗିରଫ କରିଛି। ତେବେ ଏଥିରେ ଗଞ୍ଜାମର ସର୍ବେଶ୍ୱର ରାଓ ମଧ୍ୟ ସାମିଲ ଥିବା ଆକାଶଙ୍କ ପିଏ ଡେଭିଡ଼ ପିଟର ସୂଚନା ଦେଇଛନ୍ତି। ତେଣୁ ପ୍ରକୃତରେ ଏଥିରେ କେଉଁମାନେ ସାମିଲ ଓ କାହା ଇଙ୍ଗିତରେ ଏଭଳି ଠକେଇ ଏବଂ ଜାଲିଆତି କରାଯାଉଥିଲା, ତାହାର ତଥ୍ୟ ହାସଲ କରିବାକୁ କ୍ରାଇମବ୍ରାଞ୍ଚ ଉଦ୍ୟମ ଆରମ୍ଭ କରିଛି। ରିମାଣ୍ଡ ଅବଧି ବେଳେ ଏସବୁ ତଥ୍ୟ ହାସ କରିବାକୁ କ୍ରାଇମବ୍ରାଞ୍ଚ ଲକ୍ଷ୍ୟ ରଖିଛି।