ଭୁବନେଶ୍ୱରରେ ପ୍ରଥମ ଜନଜାତୀୟ ଖେଳ ମହୋତ୍ସବ ଉଦଘାଟିତ

ଭୁବନେଶ୍ୱର: ରାଜଧାନୀରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଜନଜାତୀୟ ଖେଳ ମହୋତ୍ସବ । କିଟ କ୍ୟାମ୍ପସରେ ଏହି ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ୨୬ଟି ରାଜ୍ୟରୁ ୩ ହଜାରରୁ ଊର୍ଦ୍ଧ୍ବ ଜନଜାତି କ୍ରୀଡାବିତ ଯୋଗ ଦେଇଛନ୍ତି । ଜୁନ ୯ ତାରିଖରୁ ଜନଜାତୀୟ ଖେଳ ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଜନଜାତି କ୍ରୀଡାବିତଙ୍କ ପ୍ରତିଭା ଲୋକଲୋଚନକୁ ଆଣିବାରେ ଏହି ମହୋତ୍ସବ ଅନ୍ୟ ଏକ ମାଧ୍ୟମ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭାରତ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ଠାରୁ କିଟ କ୍ୟାମ୍ପସରେ ଜନଜାତୀୟ ଖେଳ ମହୋତ୍ସବ ଆୟୋଜିତ ହୋଇଛି । ପ୍ରଥମ ଦିନରେ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଡ. ଗଣେଶୀଲାଲ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ । ଏହି ଅବସରରେ ଜନଜାତି ମାସ୍କଟ ଭୀମ ଓ ଲୋଗୋ ଉନ୍ମୋଚନ କରିଥିଲେ ରାଜ୍ୟପାଳ । ଓଡ଼ିଶାରେ ଜନଜାତି ସମାଜ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗଭୀର ସମ୍ପର୍କ ରହିଛି ବୋଲି କହିଥିଲେ ରାଜ୍ୟପାଳ ।

ଅନ୍ୟପଟେ କାର୍ଯ୍ୟକ୍ରମକୁ ନେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ‘‘ଜନଜାତୀୟ ଖେଳ ମହୋତ୍ସବ ମାଧ୍ୟମରେ ଜନଜାତି କ୍ରୀଡ଼ାବିତ୍‍ଙ୍କ ପ୍ରତିଭା ଲୋକଲୋଚନକୁ ଆସିବ । ଜନଜାତୀୟ ଖେଳ ମହୋତ୍ସବରେ ସବୁ ରାଜ୍ୟରୁ ଯୁବକ ଯୁବତୀମାନେ ଅଂଶଗ୍ରହଣ କରିବା ଏକ ଭାରତ ଶ୍ରେଷ୍ଠ ଭାରତର ପରିକଳ୍ପନାକୁ ଦର୍ଶାଉଛି । ଏଥିରେ ଅଂଶଗ୍ରହଣ କରୁଥିବା ଯୁବ ଶକ୍ତି କେବଳ ଖେଳାଳି ନୁହେଁ ବରଂ ସାଂସ୍କୃତିକ ଆମ୍ବାସଡର ମଧ୍ୟ । ଓଡ଼ିଶାରେ ଜନଜାତି ସମାଜ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବହୁତ ଗଭୀର ସମ୍ପର୍କ ରହିଛି । ଆମର ଜନଜାତୀୟ ସମାଜ ଖେଳରେ ଅଭୂତପୂର୍ବ ପ୍ରଦର୍ଶନ ଦେଖାଇବା ସହ ସବୁବେଳେ ଦେଶକୁ ଗୌରବାନ୍ୱିତ କରିଛନ୍ତି ।