ଆଜି ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ

ଭୁବନେଶ୍ବର,ଏଜେନ୍ସି: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଜି ଗୃହରେ ସାଧାରଣ ବଜେଟ୍ ଆଗତ ହେବ । ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅପରାହ୍ନ ୪ଟାରେ ବଜେଟ ଉପସ୍ଥାପନ କରିବେ । ଏହା ନବୀନ ସରକାରର ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ । ମୋଟ ବଜେଟର ପରିମାଣ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୨ ଲକ୍ଷ କୋଟି ଥିଲା । ବଜେଟରେ ଭିତ୍ତିଭୂମି, ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ବିଶେଷ ଧ୍ୟାନ ଦିଆଯିବା ସହ କଲ୍ୟାଣକାରୀ ଯୋଜନା ପାଇଁ ଅଧିକ ବ୍ୟୟ ବରାଦ ହୋଇପାରେ ବୋଲି ଆକଳନ କରାଯାଉଛି । ସେହିପରି ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଶିଳ୍ପ କ୍ଷେତ୍ର ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇପାରେ ।

ବଜେଟ ଉପସ୍ଥାପନ ପୂର୍ବରୁ ଗତକାଲି(ଗୁରୁବାର) ଗୃହରେ ରାଜ୍ୟର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି । ବର୍ତ୍ତମାନ ଓଡି଼ଶାର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୮୨ ପ୍ରତିଶତ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଗତ ଆର୍ଥିକ ବର୍ଷରେ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ(ଜିଏସ୍‌ଡିପି) ଅପେକ୍ଷା ଚଳିତ ବର୍ଷରେ ସୁଧାର ଆସିଛି । ଏ ବର୍ଷ ଜିଏସଡିପି ୭.୨ ଲକ୍ଷ କୋଟି ବା ୧୨.୬% ପ୍ରତିଶତରେ ପହଞ୍ଚିବା ନେଇ ଅନୁମାନ କରାଯାଇଛି । ରାଜ୍ୟର ଅଭିବୃଦ୍ଧି ହାର ୨୦୨୧-୨୨ ବର୍ଷରେ ୧୧.୫ ପ୍ରତିଶତ ଥିଲା । ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡପିଛା ଆୟ ବୃଦ୍ଧି ପାଇବ ୧ ଲକ୍ଷ ୫୦ ହଜାର ୬୭୬ ଟଙ୍କା ରହିଥିବା ବେଳେ ଦେଶରେ ମୁଣ୍ଡପିଛା ଆୟ ୧ ଲକ୍ଷ ୭୦ ହଜାର ୬୨୦ ରହିଛି ।