ମେ ୩ରୁ ବାର୍ଷିକ ହାଇସ୍କୁଲ ପରୀକ୍ଷା : ୫୦ ନମ୍ବର ଅବଜେକଟିଭ ,୩୦ ନମ୍ବର ସବଜେକଟିଭ

କଟକ,ଏନ୍ଏନ୍ଏସ୍: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ବାର୍ଷିକ ହାଇସ୍କୁଲ ପରୀକ୍ଷା, ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ଆସନ୍ତା ମେ’ ୩ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ମେ’ ମାସରେ କରାଯିବାକୁ ସ୍ଥିର କରାଯାଇଥିବା ବେଳେ ଅବଜେକଟିଭ ୫୦ ନମ୍ବର ଓ ସବଜେକଟିଭ ୩୦ ନମ୍ବର ପରୀକ୍ଷା କରାଯିବ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା ସମୟ ୨ ଘଣ୍ଟା ୩୦ ମିନିଟ୍ ପରିବର୍ତ୍ତେ ୨ ଘଣ୍ଟା ରଖାଯାଇଛି। ତେବେ ପୂର୍ବପରି ଗଣିତ ପ୍ରଶ୍ନ ପଢ଼ିବା ପାଇଁ ୧୫ ମିନିଟ୍ ଅଧିକ ସମୟ ମିଳିବ। ୩୦ ନମ୍ବରରୁ ଛାତ୍ରଛାତ୍ରୀ ପାଇଥିବା ନମ୍ବର ଉପରେ ସବ୍ଜେକ୍ଟିଭର ୫୦ନମ୍ବରର ପ୍ରତିଶତ ହିସାବ କରାଯାଇ ମୋଟ୍ ନମ୍ବର ଦିଆଯିବ। ତଦନୁଯାୟୀ ଛାତ୍ରଛାତ୍ରୀଙ୍କ ମାର୍କସିଟରେ ମୋଟ୍ ୧୦୦ ନମ୍ବରରୁ ପାଇଥିବା ନମ୍ବର ଉଲ୍ଲେଖ ରହିବ। ପ୍ରତ୍ୟେକ ବିଷୟରୁ ୪ଟି ଲେଖାଏ ସେଟ୍ ପ୍ରଶ୍ନ ପତ୍ର ରହିବ। କେବଳ ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ବିଷୟ ପାଇଁ ପୁରୁଣା ଓ ନୂଆ ପାଠ୍ୟକ୍ରମ ଅନୁଯାୟୀ ପୃଥକ ପୃଥକ ପ୍ରଶ୍ନପତ୍ର ରହିବ।

ପୂରୁଣା ପ୍ରଶ୍ନପତ୍ର ଏକସରେଗୁଲାର ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ବ୍ୟାକ୍ ଛାତ୍ରଛାତୀଙ୍କ ପାଇଁ ରହିଥିବା ବେଳେ ନୂତନ ପ୍ରଶ୍ନ ପତ୍ର ରେଗୁଲାର ହାଇସ୍କୁଲ ଛାତ୍ରଛାତ୍ରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ଫ୍ରେସରମାନଙ୍କ ପାଇଁ ଉଦ୍ଦିଷ୍ଟ। ଅନ୍ୟ ସମସ୍ତ ବିଷୟରେ ଉଭୟ ରେଗୁଲାର ଓ ଏକ୍ସରେଗୁଲାରଙ୍କ ପାଇଁ ସମାନ ପ୍ରଶ୍ନପତ୍ର ରହିବ। ମଧ୍ୟମା ଛାତ୍ରଛାତ୍ରୀ ଉଭୟ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ସମାନ ପ୍ରଶ୍ନପତ୍ର ରହିବ। ପରୀକ୍ଷା ସମୟ ସ୍ଥିର ହୋଇନଥିବା ବେଳେ ଖୁବ୍ ଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ଓ ଏହା ନିଶ୍ଚିତ ପ୍ରାତଃ ସମୟରେ ହେବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ସେହିପରି ଛାତ୍ରଛାତ୍ରମାନେ ନିଜ ନିଜ ବିଦ୍ୟାଳୟରେ ପରୀକ୍ଷା ଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କରିଥିବା ଘୋଷଣା ସଂପର୍କରେ ମତ ଦେଇ ଶ୍ରୀ ହାଜରା କହିଛନ୍ତି ଯେ ପରୀକ୍ଷା କେନ୍ଦ୍ର ପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ ଆସନ୍ତା ସୋମବାର ଦିନ ପ୍ରକାଶ କରାଯିବ। ତେବେ ଛାତ୍ରଛାତ୍ରୀ ସଂଖ୍ୟା ଓ ବିଦ୍ୟାଳୟର ଭିତ୍ତିଭୂମି ଉପରେ ପରୀକ୍ଷା କେନ୍ଦ୍ର ନିର୍ଭର କରିବ। ଛାତ୍ରଛାତ୍ରୀମାନେ ନିଜ ନିଜ ବିଦ୍ୟାଳୟରେ ପରୀକ୍ଷା ଦେବେ ଓ କପି ରୋକିବା ପାଇଁ ଅନ୍ୟ ବିଦ୍ୟାଳୟରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ପରୀକ୍ଷକ ରହିବେ। ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ.ବିଏସଇଓଡିଶା.ଏସି.ଇନ୍ ରୁ ଡାଉନଲୋଡ କରି କେତେ ନମ୍ବର ବିଶିଷ୍ଟ ପ୍ରଶ୍ନ କେତୋଟି ଆସିବ ସେ ସଂପର୍କରେ ତଥ୍ୟ ପାଇପାରିବେ ବୋଲି ସୂଚନା ମିଳିଛି।