ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ନେଇ ଉତ୍ତେଜନା

ଭୁବନେଶ୍ୱର,ଏନ୍ଏନ୍ଏସ୍ : ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ନେଇ ବଡ଼ଗଡ ବ୍ରିଟ କଲୋନୀରେ ଉତ୍ତେଜନା ପ୍ରକାଶ ପାଇଥିଲା। ପଶ୍ଚିମବଙ୍ଗରୁ ଫେରିଥିବା ଗୋଟିଏ ପରିବାରକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଖବରପାଇ କମିଶନରେଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ପରେ ପରିସ୍ଥିତି ସ୍ୱଭାବିକ ହୋଇଥିଲା।

ବଡଗଡ଼ ବ୍ରିଟ କଲୋନୀରେ ରହୁଥିବା ଏକ ସଂଖ୍ୟାଲଘୁ ସମ୍ପ୍ରଦାୟ ପରିବାରର ୮ଜଣ ଏକ ସ୍କୋର୍ପିଓ ଗାଡ଼ିରେ କୋଲକାତାରୁ ଭୁବନେଶ୍ୱର ଫେରିଥିଲେ। ମଙ୍ଗଳବାର ସକାଳୁ ସେମାନେ ବଡଗଡ଼ ବ୍ରିଟ କଲୋନୀସ୍ଥିତ ଘର ପାଖରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ। ଏପରିକି ସେମାନଙ୍କୁ ଘରକୁ ପଶିବାକୁ ଦେଇ ନଥିଲେ। ସେମାନେ ସରକାରୀ କାଗଜପତ୍ର ଦେଖାଇବା ସହ ଯେତେ ପ୍ରକାର ବୁଝାଇବାକୁ ଚେଷ୍ଟା କରିଥିଲେ, ଲୋକେ ବୁଝିବାକୁ ନାରାଜ ଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଠେଲାପେଲା ହୋଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଖବରପାଇ ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲା। କୋଲକାତାରୁ ଫେରିଥିବା ପରିବାର ସମ୍ପୂର୍ଣ୍ଣ ସରକାରୀ ନିୟମ ଅନୁସାରେ ଆସିଥିବା ପୁଲିସ ଜାଣିବାକୁ ପାଇଥିଲା। ଏପରିକି ନିୟମ ଅନୁସାରେ ସେମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଥିବା ପୁଲିସ ଅନୁଧ୍ୟାନରୁ ଜାଣିବାକୁ ପାଇଥିଲା। ପରେ ପୁଲିସ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା। କୋଲକାତାରୁ ଫେରିଥିବା ସମସ୍ତ ସଦସ୍ୟ ଏବେ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି।