ରାଜଧାନୀରେ ଗଡ଼ିଲା ବିଦୁତ୍ୟଚାଳିତ ବସ୍‌

ଭୁବନେଶ୍ୱର, ଏନ୍ଏନ୍ଏସ୍ : ପ୍ରଥମଥର ପାଇଁ ରାଜଧାନୀରେ ପରୀକ୍ଷାମୂଳକ ଭାବେ ଗଡ଼ିଛି ବିଦ୍ୟୁତଚାଳିତ ବସ। ରୁଟ୍‌ ନମ୍ବର-୨୦ ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧା ଭାୟା ଜଟଣୀ ହୋଇ ବସ୍‌ ଚଳାଚଳ କରିଛି। ବିନା ଯାତ୍ରୀରେ ବସ୍‌ ଗଡି ଥିବାରୁ ଯାତ୍ରୀଙ୍କ ଓଜନ କ୍ଷମତା ଅନୁସାରେ ଗାଡି ଭିତରେ ୫.୨ ଟନର ବାଲି ବସ୍ତା ରଖାଯାଇଛି। ବିନା ପେଟ୍ରୋଲ ଏବଂ ଡିଜେଲରେ ଏହି ବସ୍‌ ଚାଲି ଥିବାରୁ ବାୟୁମଣ୍ଡଳରେ କାର୍ବନ ଗ୍ୟାସ୍‌ ହ୍ରାସ ପାଇବ। ଏହାଦ୍ବାରା ବାୟୁ ପ୍ରଦୂଷଣକୁ କମିବ। ବସ୍‌ ବିନା ତେଲରେ ଚାଲୁ ଥିବାରୁ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ପରିମାଣକୁ ମଧ୍ୟ କମାଯାଇ ଦିଆଯାଇ ପାରିବ ବୋଲି କ୍ରୁଟ ପକ୍ଷରୁ ସୂଚନା ମିଳିଛି।

ଭୁବନେଶ୍ବର ସହରରେ ୫୦ଟି ବିଦ୍ୟୁତ ଚାଳିତ ବସ୍‌ ଚଳାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ବସ୍‌ କ୍ରୟ ନିମନ୍ତେ କ୍ୟାପିଟାଲ ଅର୍ବାନ ରିଜନ ଟ୍ରାନପୋର୍ଟ (କ୍ରୁଟ) ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛି। ଅଦ୍ୟାବିଧି ଦୁଇଟି ସଂସ୍ଥା ଟେଣ୍ଡର ଆବେଦନ କରିଛନ୍ତି। ଯେଉଁ ସଂସ୍ଥା ଟେଣ୍ଡର ଆବେଦନ କରି‌ବେ ସେମାନେ ଗୋଟିଏ ଲେଖାଏଁ ବିଦ୍ୟୁତଚାଳିତ ବସ୍‌ ଆଣି ସହର ବିଭିନ୍ନ ରୁଟରେ ୧୦ଦିନ ପାଇଁ ଚଳାଚଳ କରିବେ। ବସ ଚଳାଚଳ କରୁଥିବା ରୁଟରେ କ୍ରୁଟ କର୍ମଚାରୀ ରହି ବସ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରି ରିପୋର୍ଟ କ୍ରୁଟକୁ ଦେବେ। ଟ୍ରାଏଲ ଚଳାଚଳ ସରିବା ପରେ କ୍ରୁଟ ପକ୍ଷରୁ ଟେଣ୍ଡର ପେପର ଖୋଲାଯିବ। ନିର୍ବାଚିତ ସଂସ୍ଥାକୁ ବସ କ୍ରୟ କରିବାକୁ ଅନୁମତି ଦିଆଯିବ।

ବସଟି ଓଲେକଟ୍ରା କମ୍ପାନୀର ହୋଇ ଥିବାବେଳେ ହାଇଦ୍ରାବାଦରୁ ଅଣାଯାଇଛି। ଦ୍ୱିତୀୟ ଦିନରେ ବସ ମାଷ୍ଟରକ୍ୟାଣ୍ଟିନ୍ ମୋ ବସ ଡିପୋରୁ ନନ୍ଦନକାନନ ଅଭିମୁଖେ ଯାତ୍ରା କରିବା କାର୍ୟ୍ୟକ୍ରମ ରହିଛି। ଯାତ୍ରୀଙ୍କ ସୁରକ୍ଷା ଏବଂ ଅପରାଧ କାର୍ୟ୍ୟକଳାପ ଉପରେ ନଜର ରଖିବା ପାଇଁ ବସ୍‌ ଭିତରେ ତିନିଟି ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି। ଯାତ୍ରୀ କୌଣସି ସମସ୍ୟା ଅନୁଭବ କଲେ ସିଟ୍‌ ପାଖରେ ଥିବା ଜରୁରୀକାଳୀନ ସୁଇଜ୍ ଦବାଇ ଡ୍ରାଇଭରକୁ ବସ୍‌ ରଖିବାକୁ ସଙ୍କେତ ଦେଇ ପାରିବେ। ଗାଡିରେ ଜିପିଆରଏସ୍‌ ସଂଯୋଗ କରାଯାଇଛି। ବସ କେଉଁ ରୁଟରେ ଗଡୁଛି ଟ୍ରାକ କରାଯାଇ ପାରିବ। ସିଟ୍‌ ପାଖରେ ଯାତ୍ରୀ ପାଣି ବୋତଲ ରଖିବା, ୱାଇ-ଫାଇ ସୁବିଧା ଏବଂ ସ୍ବଂୟ ଚାଳିତ ଗେଟ୍‌ ଉପଲବ୍ଧ ଅଛି। ବସ୍‌ରେ ୨୦୦ କିଲୋୱାଟ ୪ଟି ବ୍ୟାଟେରି ସଂଯୋଗ କରାଯାଇଛି। ଏହି ବ୍ୟାଟେରିକୁ ୨ ଘଣ୍ଟା ଚାର୍ଜ କଲେ ବସ୍‌ ୨୨୦ କି.ମି ରାସ୍ତା ଚାଲିବ। ଗାଡି ସର୍ବାଧିକ ୭୫ କିମି ବେଗରେ ଗତି କରିପାରିବ।