ଭୁବନେଶ୍ୱର, ଏନ୍ଏନ୍ଏସ୍: ଖପର ଘରର ରାପର ଭାବେ ପରିଚିତ କଳାହାଣ୍ଡିର ଦୁଲେଶ୍ୱର ତାଣ୍ଡି ଓରଫ ଦୁଲେ ରାପରଙ୍କୁ ଓଡ଼ିଆ ଚଳଚ୍ଚିତ୍ରର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ତାଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ଗୀତ ଗାଇବାର ସୁଯୋଗ ଦେଇଛନ୍ତି। ଦୁଲେ ରାପରଙ୍କ ସହିତ ସୁନ୍ଦରଗଡ଼ର ଝିଅ ସ୍ୱର୍ଣ୍ଣରେଖା ଏବଂ ଲୋକପ୍ରିୟ କଣ୍ଠଶିଳ୍ପୀ ଆଶୁତୋଷ ମଧ୍ୟ ଏହି ଗୀତରେ କଣ୍ଠଦାନ କରିଛନ୍ତି। ‘ଜିୱାଲା ଆଣ୍ଟି ‘ ଶୀର୍ଷକ ଏହି କମର୍ସିଆଲ ଗୀତଟିକୁ ଗୀତିକାର ସୁବ୍ରତ ସ୍ୱାଇଁ ରଚନା କରିଛନ୍ତି। ବୁଧବାର ଦିନ ଟଙ୍କପାଣି ରୋଡସ୍ଥିତ ସ୍ମୃତି ଷ୍ଟଡିଓରେ ଦୁଲେ ରାପରଙ୍କ କଣ୍ଠରେ ଏହାକୁ ରେକର୍ଡ କରାଯାଇଛି।
ଏହାକୁ ପ୍ରଯୋଜନା କରିଛନ୍ତି ସୁଶାନ୍ତ କୁମାର। ମ୍ୟୁଜିକ ମସ୍ତି ବ୍ୟାନରରେ ନିର୍ମିତ ନାମକରଣ ହୋଇନଥିବା ଆଗାମୀ ଚଳଚ୍ଚିତ୍ରରେ ଏହା ସ୍ଥାନ ପାଇବ। ପୂର୍ବରୁ ‘ସୁନୋ ସର୍କାର’ ରାପ ଗାଇ ସୋସିଆଲ ମିଡିଆରେ ରାତାରାତି ଚର୍ଚ୍ଚିତ ହୋଇଥିଲେ ଦୁଲେ ରାପର। ଭାଇରାଲ ହୋଇଥିବା ଏହି ଗୀତ ପାଇଁ ବଲିଉଡ଼ର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ୍ୱିଶାଲ ଦଦଲାନିଙ୍କଠୁ ଆରମ୍ଭ କରି ସ୍ୱରା ଭାସ୍କର, ସୋନା ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ବର୍ଖା ଦତ୍ତଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସା କରିଥିଲେ। ନୂତନ ପ୍ରତିଭାଙ୍କୁ ସୁଯୋଗ ଦେଇ ଆସିଥିବା ପ୍ରେମ ଆନନ୍ଦ କିଛି ଦିନ ତଳେ କୋରାପୁଟ ଝିଅ ନମିତା ମେଲେକାଙ୍କୁ ସୁଯୋଗ ଦେଇ ପ୍ରଶଂସିତ ହୋଇଥିଲେ।