ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ଦିଲ୍ଲୀ ଫେରିବା ପୂର୍ବରୁ ଭାଇ ଘରକୁ ଯାଇ ଆପ୍ୟାୟିତ ହୋଇଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସକୁ ଯାଇ ସ୍ୱାଦିଷ୍ଟ ଓଡିଆ ଭୋଜନ କରିଛନ୍ତି ଦ୍ରୌପଦୀ। ସେଠାରେ ନବୀନଙ୍କ ସହ କିଛି ସମୟ ଏକାନ୍ତରେ ଆଲୋଚନା କରିଛନ୍ତି ଦ୍ରୌପଦୀ।

ଭଉଣୀ ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଛନ୍ତି ଭାଇ ନବୀନ। ମଧ୍ୟାହ୍ନ ଭୋଜନରେ ଦ୍ରୌପଦୀଙ୍କୁ ପରଷା ଯାଇଛି ନିରାମିଷ ଓଡିଆ ଭୋଜନ। ଦ୍ରୌପଦୀ ଦୀର୍ଘ ବର୍ଷ ପୂର୍ବରୁ ବ୍ରହ୍ମକୁମାରୀ ଦୀକ୍ଷା ଗ୍ରହଣ କରିଛନ୍ତି, ତେଣୁ ଏହାକୁ ଦୃଷ୍ଟିରେ ରଖି ଭଉଣୀ ଲାଗି ନିରାମିଷ ବ୍ୟଞ୍ଜନ ପରସିଛନ୍ତି ଭାଇ ନବୀନ। ଏଥିରେ ଭାତ, ଡାଲି, ଖେଚୁଡି, ବାଇଗଣ ଭଜା, ପୋଟଳ କଷା ରହିଛି। ଦ୍ରୌପଦୀଙ୍କର ଡାଇବେଟିସ ଥିବାରୁ ତାଙ୍କୁ ମିଠା କିମ୍ବା ଆଇସକ୍ରିମ ପରସା ଯାଇନାହିଁ। ଏହା ସହ ଆଉ କିଛି ସ୍ବାଦିଷ୍ଟ ଓଡିଆ ଖାଦ୍ୟ ରହିଛି। ଦ୍ରୌପଦୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଓ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରାଯାଇଛି।

ଦ୍ରୌପଦୀ ଦିନିକିଆ ଓଡିଶା ଗସ୍ତ ଶେଷ କରି ନବୀନ ନିବାସରୁ ସିଧା ଦିଲ୍ଲୀ ଯାଇଛନ୍ତି। ତାଙ୍କୁ ବିମାନବନ୍ଦରରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ ବିଦାୟୀ ସମ୍ବର୍ଦ୍ଧନା ଦେଇଛନ୍ତି।