ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେଡିରୁ ବହିଷ୍କୃତ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ଡବଲ ଝଟକା ଲାଗିଛି। ଗୋଟିଏ ପଟେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଥିବା ବେଳେ ତାଙ୍କ ବିରୋଧରେ ଲୋକାୟୁକ୍ତ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ସୁପାରିସ କରିଛନ୍ତି। ଦୁର୍ନୀତି ଅଭିଯୋଗରେ ଜେଲ ଯାଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନକୁ ଖାରଜ କଲେ ଭୁବନେଶ୍ୱର ଏଡିଜେ-୩।
ଆଜି ପୂର୍ବାହ୍ନରେ ଶୁଣାଣି ସାରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ତେବେ ପରେ କୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସେହିପରି ପ୍ରଦୀପଙ୍କ ମାମଲାର ତଦନ୍ତ କରିବେ ଲୋକାୟୁକ୍ତ। ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିସ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟାଟାରେ ଚାକିରି କରାଇଦେବା ନାଁରେ ଆକାଶ ପାଠକ ଓ ତାଙ୍କ ଭାବି ଶ୍ୱଶୂର ପ୍ରଦୀପ ପାଣିଗ୍ରାହୀ ଶିକ୍ଷିତ ଯୁବକଙ୍କୁ ଠକିଛନ୍ତି। ଏହି ଘଟଣା ପଦାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ପ୍ରଦୀପଙ୍କୁ ଦଳରୁ ବହିଷ୍କାର କରିଥିଲେ। ପରେ କ୍ରାଇମବ୍ରାଞ୍ଚ ପ୍ରଦୀପଙ୍କୁ ତାଙ୍କ ସରକାରୀ ଆବାସରୁ ଉଠାଇ ନେଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ଏବେ ପ୍ରଦୀପ ପାଣିଗ୍ରାହୀ ଜେଲ୍ରେ ଅଛନ୍ତି।