ଡକ୍ଟର ଅମୂଲ୍ୟ ରତ୍ନ ମହାନ୍ତି ପାଇଲେ ନାଗରୀ ରତ୍ନ ସମ୍ମାନ

ଭୁବନେଶ୍ବର,ଏନ୍ଏନ୍ଏସ୍: ଉତ୍ତର ପ୍ରଦେଶର ନାଗରୀ ପ୍ରଚାରିଣୀ ସଭା, ଦେବରିଆ ହିନ୍ଦୀ ଦିବସ ଅବସରରେ ହିନ୍ଦୀର ବିଶିଷ୍ଟ ବିଦ୍ୱାନ ମାନଙ୍କୁ ସମ୍ମାନିତ କରିଛି। ୧୯୧୫ ମସିହାରେ ସ୍ଥାପିତ ଏହି ସଂସ୍ଥା ପ୍ରତିବର୍ଷ ହିନ୍ଦୀ ଭାଷା ଓ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ତଥା ବିଶ୍ବର ବିଭିନ୍ନ ହିନ୍ଦୀ ବିଦ୍ୱାନ ମାନଙ୍କୁ ସମ୍ମାନିତ କରିଥାଏ। ପ୍ରତିବର୍ଷ ସଂସ୍ଥା “ନାଗରୀ ରତ୍ନ”, “ନାଗରୀ ଭୂଷଣ” ଓ “ନାଗରୀ ଶ୍ରୀ” ସମ୍ମାନ ପ୍ରଦାନ କରେ। ଏହିକ୍ରମରେ ଚଳିତବର୍ଷ ନାଗରୀ ପ୍ରଚାରିଣୀ ସଭା, ଦେବରିଆ ଓଡ଼ିଶାର ବିଶିଷ୍ଟ ହିନ୍ଦୀ ବିଦ୍ୱାନ, ଗବେଷକ ଓ ଅନୁବାଦକ ଡକ୍ଟର ଅମୂଲ୍ୟ ରତ୍ନ ମହାନ୍ତିଙ୍କୁ “ନାଗରୀ ରତ୍ନ” ସମ୍ମାନରେ ସମ୍ମାନିତ କରିଛି। ସମ୍ମାନ ସ୍ବରୂପ ଡଃ ମହାନ୍ତିଙ୍କୁ ସଭା ତରଫରୁ ଅଙ୍ଗବସ୍ତ୍ର, ତାମ୍ର ଫଳକ, ମା’ ସରସ୍ଵତୀଙ୍କ ପ୍ରତିମା ଓ ଅର୍ଥ ରାଶି ପ୍ରଦାନ କରାଯାଇଛି।

ଓଡ଼ିଶାରେ ଜଣେ ଉଦୀୟମାନ ହିନ୍ଦୀ ବିଦ୍ୱାନ ରୂପେ ଡ. ମହାନ୍ତିଙ୍କର ବେଶ୍‌ ଖ୍ୟାତି ରହିଛି। ସେ ହିନ୍ଦୀରେ ଅନେକ ମୌଳିକ ପୁସ୍ତକ ରଚନା କରିବା ସହିତ ଅନେକ ଓଡ଼ିଆ ପୁସ୍ତକର ହିନ୍ଦୀ ଅନୁବାଦ ମଧ୍ୟ କରିଛନ୍ତି। କେବଳ ସେତିକି ନୁହେଁ, ସେ ଅନେକ ହିନ୍ଦୀ ପୁସ୍ତକର ଓଡ଼ିଆ ଅନୁବାଦ କରି ଉତ୍କଳ ଭାରତୀର ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି। କଟକ ଜିଲ୍ଲାର ଖଣ୍ଡସାହି ଗ୍ରାମରେ ଜନ୍ମିତ ଡ. ମହାନ୍ତି ସମ୍ପ୍ରତି ଦେବୀ କନ୍ଦଳ ନିତ୍ୟାନନ୍ଦ ମହାବିଦ୍ୟାଳୟ, ଏରଞ୍ଚରେ ହିନ୍ଦୀ ବିଭାଗର ବିଭାଗୀୟ ମୁଖ୍ୟ ରୂପେ କାର୍ଯ୍ୟ କରୁଛନ୍ତି।