ମହିଳାଙ୍କ ମୃତ୍ୟୁ ଭଳି ସମ୍ବେଦନଶୀଳ ଘଟଣାରେ ରାଜନୀତି କରାନଯାଉ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଭିଏଲଡବ୍ଲ୍ୟୁ ମୃତ୍ୟୁ ଘଟଣାର ପୁଲିସ୍‍ ତଦନ୍ତ ଜୋରଦାର ଭାବେ ଚାଲିଥିବାବେଳେ ବିରୋଧୀଦଳ ଗୁଡିକ ଏହାକୁ ରାଜନୈତିକ ରଙ୍ଗ ଦେଇ ତଦନ୍ତକୁ ବାଟବଣା ନକରିବାକୁ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର କହିଛନ୍ତି। ଡକ୍ଟର ପାତ୍ର କହିଛନ୍ତି ଯେ ଏହି ହତ୍ୟା ଘଟଣା ଉପରୁ ପରଦା ଉଠାଇବା ପାଇଁ ପୁଲିସ୍‍ ଆପ୍ରାଣ ଉଦ୍ୟମ କରୁଥିବାବେଳେ ଏହା ଉପରେ ଆମେ ସମସ୍ତେ ଭରସା ରଖିବା ଉଚିତ୍‍। ହେଲେ କିଛି ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷ ନିଜ ନିଜର ଫାଇଦା ପାଇଁ ଏହାର ରାଜନୀତିକରଣ ଦେବାରେ ଲାଗିଛନ୍ତି। ଏହାଦ୍ୱାରା ତଦନ୍ତ ବାଟବଣା ହେବାର ଢେର ସମ୍ଭାବନା ରହିଛି।

ଦଳୀୟ ସ୍ୱାର୍ଥ ଦୃଷ୍ଟିରୁ ଏବେ କିଛି ନେତା ଦଳ ବଳ ସହ ସମ୍ପୃକ୍ତ ଅଞ୍ଚଳକୁ ଯିବା ସହିତ ଗଣମାଧ୍ୟମକୁ ବିବୃତ୍ତିମାନ ଦେବାରେ ଲାଗିଛନ୍ତି। ଏପରିକି ଏହି ଘଟଣାରେ ଅନ୍ୟମାନଙ୍କ ନାମକୁ ଯୋଡି ସାଧାରଣରେ ଭ୍ରମ ସୃଷ୍ଟି କରାଯାଉଛି। ଜଣେ ମହିଳା ସରକାରୀ କର୍ମଚାରୀ ଆତ୍ମହତ୍ୟା କରିଥିବାରୁ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ପୁଲିସ୍‍ ମଧ୍ୟ ଠିକଣା ଭାବେ ତଦନ୍ତକୁ ଆଗକୁ ନେଉଛି। ମାମଲା ଉପରୁ ପରଦା ହଟାଇବା ସହିତ ଏଥିରେ କୌଣସି ବ୍ୟକ୍ତି ସମ୍ପୃକ୍ତ ବୋଲି ଜଣାପଡିଲେ ସେମାନଙ୍କ ବିରୁଦ୍ଧରେ ଆଇନ୍‍ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହା ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା ହୋଇଥିବାବେଳେ ତଦନ୍ତରେ ପୁଲିସକୁ ସହଯୋଗ କରିବା ବଦଳରେ କିଛି ରାଜନୈତିକ ଦଳ ଓ ବ୍ୟକ୍ତି ଆଗୁଆ ଯେଭଳି ମାମଲା ସହିତ ଅନ୍ୟମାନଙ୍କୁ ଯୋଡୁଛନ୍ତି ତାହାଦ୍ୱାରା କେବଳ ତଦନ୍ତ ବାଟବଣା ହେବନାହିଁ, ମୃତକଙ୍କ ପରିବାର ମଧ୍ୟ ନ୍ୟାୟ ପାଇବାରେ ବିଳମ୍ବ ହେବାର ଆଶଙ୍କା ଉପୁଜିଲାଣି।

ଇତି ମଧ୍ୟରେ ଏହି ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ଯେଉଁ ଦାବି ହୋଇଛି ଡକ୍ଟର ପାତ୍ର ତାହାକୁ ଅଗ୍ରାହ୍ୟ କରିବା ସହିତ ମାମଲାର ତଦନ୍ତ କ୍ଷେତ୍ରରେ ଓଡିଶା ପୁଲିସ୍‍ ସିବିଆଇ ଠାରୁ କୌଣସି ଗୁଣରେ କମ୍‍ ନୁହେଁ। ତେଣୁ ପୁଲିସ୍‍ ଉପରେ ଭରସା ରଖିବା ସହିତ ସମ୍ପୃକ୍ତ ପରିବାର କିଭଳି ନ୍ୟାୟ ପାଇବେ ସେଥିପାଇଁ ସମସ୍ତେ ସହଯୋଗ କରିବା ଏବଂ ମହିଳାଙ୍କ ହତ୍ୟାକାଣ୍ଡ ଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ନକରିବାକୁ ଡକ୍ଟର ପାତ୍ର ଅନୁରୋଧ କରିଛନ୍ତି।