ଆଜି ଠାରୁ ଭୁବନେଶ୍ୱରରୁ ସୁରଟକୁ ସିଧା ବିମାନ ସେବା ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିଠାରୁ ଭୁବନେଶ୍ୱରରୁ ସୁରଟକୁସିଧା ବିମାନ ସେବା ଆରମ୍ଭ ହୋଇଛି। ସୋମବାର ସକାଳ ୮ଟା ୪୦ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ବିମାନ ୧୮୦ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଛି। ଏହା ସକାଳ ୧୦ଟା ୪୦ରେ ସୁରଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବ ବୋଲି ଜଣାଯାଇଛି। ଭୁବନେଶ୍ୱରରୁ ସୁରଟକୁ ସିଧା ବିମାନ ସେବା ଆରମ୍ଭ କରାଯିବା ପଛରେ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ସବୁଠାରୁ ଅଧିକ ଅବଦାନ ରହିଛି।

ଏହି ପରିପ୍ରେକ୍ଷୀରେ ସେ ଖୁସି ଜାହିର କରିବା ସହିତ ଦେଶବାସୀଙ୍କ ଖୁସିରେ ସେ ଖୁସି ବୋଲି କହିଛନ୍ତି। ଏହି ବିମାନ ସେବାର ଶୁଭାରମ୍ଭ ସମୟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ତାଙ୍କୁ ବୁଝାଇବାକୁ ପଡ଼ିଥିଲା ଯେ ଗୁଜୁରାଟର ସୁରଟରେ ପ୍ରାୟ ୮ଲକ୍ଷ ଓଡ଼ିଆ ବସବାସ କରୁଥିବା ହେତୁ ଭୁବନେଶ୍ୱରରୁ ସୁରଟକୁ ସିଧା ବିମାନ ସେବା ଜରୁରୀ। ଏଥିଲାଗି ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖଙ୍କୁ ଶ୍ରୀମତି ଷଡ଼ଙ୍ଗୀ ଧନ୍ୟବାଦ ଜଣାଇଛନ୍ତି।

ସପ୍ତାହକୁ ଦୁଇ ଦିନ ସୁରଟରୁ ଭୁବନେଶ୍ୱରକୁ ସିଧା ବିମାନ ଚଳାଚଳ କରିବ ଓ ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ସୁରଟକୁ ବିମାନ ଯିବ। ସେହିପରି ସୁରଟରୁ ଶୁକ୍ରବାର ଓ ରବିବାର ଭୁବନେଶ୍ୱରକୁ ଆସିବ। ସେହିପରି ଏହା ପରେ ଫେବୃଆରୀ ୨୯ରୁ ଭୁବନେଶ୍ୱରରୁ ବାରଣାସୀକୁ ସିଧା ବିମାନ ସେବା ପାଇଁ ଆଲୋଚନା ହେଉଥିବା ଜଣାପଡ଼ିଛି।