ଭୁବନେଶ୍ୱର,ଏନ୍ଏନ୍ଏସ୍: ଶୁକ୍ରବାର ସରପଞ୍ଚ, ସମିତିସଭ୍ୟ, ବ୍ଲକ ଚେୟାରମ୍ୟାନ୍ ଏବଂ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପରିପ୍ରେକ୍ଷୀରେ ଜିଲ୍ଲାୱାରୀ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ତେବେ ଏହି ତାଲିକା ତ୍ରୁଟିପୂର୍ଣ୍ଣ ଏବଂ ବିଭିନ୍ନ ସ୍ଥାନରେ ପାତରଅନ୍ତର କରାଯାଇ ଆସନ ସଂରକ୍ଷଣ କରାଯାଇଛି ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।
ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ଶନିବାର ସାମ୍ବାଦିକ ସମ୍ମିଳନୀ ଡକାଇ ଲେଖାଶ୍ରୀ କହିଛନ୍ତି ଯେ ଜିଲ୍ଲାୱାରୀ ସଂରକ୍ଷଣ ତାଲିକାକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ଶାସକ ବିଜେଡିର ପ୍ରତ୍ୟକ୍ଷ ଇଙ୍ଗିତରେ ତାଲିକା ପ୍ରସ୍ତୁତ କରାଯାଇଛି। ତ୍ରୁଟିପୂର୍ଣ୍ଣ ତାଲିକା ପ୍ରସ୍ତୁତ କରି ପଞ୍ଚାୟତ ନିର୍ବାଚନ ନକରାଇବାର ଷଡ଼ଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର। ଏସ୍ଟି, ଏସ୍ସି, ଓବିସି ଓ ମହିଳା ସଂରକ୍ଷଣରେ ବ୍ୟାପକ ପାତରଅନ୍ତର କରାଯାଇଛି। ଏହା ଅତ୍ୟନ୍ତ ନିନ୍ଦନୀୟ କଥା। ରାଜ୍ୟ ସରକାରଙ୍କ ଏଭଳି ହୀନ ଚକ୍ରାନ୍ତକୁ ଆମେ ବିରୋଧ କରୁଛୁ ଏବଂ ଏ ସଂକ୍ରାନ୍ତରେ ଆମେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଇଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୮ ତାରିଖ ସୁଦ୍ଧା ଜିଲ୍ଲାପାଳମାନେ ସଂରକ୍ଷଣ ତାଲିକା ସର୍ବସାଧାରଣରେ ଘୋଷଣା କରିବାକୁ ଧାର୍ଯ୍ୟ ହୋଇଥିଲା। ମାତ୍ର ବିଳମ୍ବିତ ରାତି ସୁଦ୍ଧା ମାତ୍ର ୨୦ଟି ଜିଲ୍ଲାର ତାଲିକା ଘୋଷଣା କରାଯାଇଥିବାବେଳେ ୧୦ଟି ଜିଲ୍ଲାର ଘୋଷଣା କରାଯାଇନଥିଲା।
ଅଭିଯୋଗ ଦାଖଲ କରିବାକୁ ୧୬ ତାରିଖ ଯାଏ ସମୟ ମିଳିଛି। ମାତ୍ର, ସପ୍ତାହାନ୍ତ ଛୁଟି ଓ ଦୁର୍ଗାପୁଜା ଛୁଟି ଯୋଗୁଁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଏଣୁ ଲୋକଙ୍କ ଅଭିଯୋଗର ଉଚିତ୍ ସମାଧାନ ହେବା ଆଶା କ୍ଷୀଣ ବୋଲି ଲେଖାଶ୍ରୀ ଉଲ୍ଲେଖ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ ଏବଂ ବିଜେପି ପଞ୍ଚାୟତିରାଜ କମିଟିର ରାଜ୍ୟ ସଂଯୋଜକ ଶଙ୍କର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।