ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି। ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୪୨ (୫୫) ନମ୍ବରର କଟକ-ଅନୁଗୋଳ ସେକ୍ସନ ଏବଂ ସମ୍ବଲପୁର-ଅନୁଗୋଳ ସେକ୍ସନ ସଡ଼କର ସମ୍ପ୍ରସାରଣ। ଏହାସହ ବିକାଶମୂଳକ କାମ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଡ଼କରୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଏହି ଚିଠିକୁ ଦେବା ସହ ତୁରନ୍ତ ଏହାର ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତି। ଅନୁଗୋଳ ଜିଲ୍ଲା ବଇଣ୍ଡା ଗ୍ରାମର ବାସିନ୍ଦାଙ୍କ ଅଭିଯୋଗ ପତ୍ର ଆଧାରରେ ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୨୦୧୮ ଡ଼ିସେମ୍ବରରେ ଏନଏଚ – ୪୨ (୫୫)ର ଶିଳାନ୍ୟାସ ହୋଇଥିଲା। ୨୦୨୦ ସେପ୍ଟେମ୍ବର ସୁଦ୍ଧା ନିର୍ମାଣ କାମ ଶେଷ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ମାତ୍ର ଏ ପର୍ଯ୍ୟନ୍ତ ଜାତୀୟ ରାଜପଥର ନିର୍ମାଣ କାମ ଶେଷ ହୋଇନାହିଁ।

ସେହିପରି ପାଣିମହାର ଏବଂ ଚନ୍ଦନ ପୋଖରୀରେ ୨ଟି ପୋଲର କାମ ଶେଷ ହୋଇନଥିବା ବେଳେ ୭ଟି ହାତୀ ଚଲାପଥ ନିର୍ମାଣ କାର୍ଯ୍ୟ ସ୍ଥଗିତ ରହିଛି। ଏହା ବ୍ୟତୀତ ସଡ଼କ ନିର୍ମାଣ ପାଇଁ ଜମି ହରାଇଥିବା ଲୋକଙ୍କୁ ସଂଶୋଧିତ ମୂଲ୍ୟରେ କ୍ଷତିପୂରଣ ପ୍ରଦାନ କରାଯାଇ ନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କଲ୍ୟାଣ ଦୃଷ୍ଟିରୁ ବ୍ୟକ୍ତିଗତ ସ୍ତରରେ ଏହାକୁ ଅନୁଧ୍ୟାନ କରିବା ସହ ସେମାନଙ୍କ ଦାବି ପୂରଣ କରିବା ପାଇଁ ପଦକ୍ଷେପ ନେବାକୁ ଗଡ଼କରୀଙ୍କୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ନିକଟରେ ଗାନ୍ଧୀ ଜୟନ୍ତୀ ଅବସରରେ ଧର୍ମେନ୍ଦ୍ର ଢେଙ୍କାନାଳ ଜିଲ୍ଲା ଗସ୍ତ କରିଥିଲେ। ଏହି ଗସ୍ତ କାଳରେ ବଇଣ୍ଡାର ଗ୍ରାମବାସୀମାନେ ଜାତୀୟ ରାଜପଥ- ୪୨(୫୫) ନମ୍ବର ସମସ୍ୟା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ।