ମଧ୍ୟପ୍ରଦେଶ ବୀନା ରିଫାଇନାରୀ ନିକଟରେ ନିର୍ମାଣାଧୀନ ୧ ହଜାର ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମଧ୍ୟପ୍ରଦେଶ, ଏଜେନ୍ସି: ଦୁଇଦିନିଆ ମଧ୍ୟପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନଙ୍କ ସହ ବିପିସିଏଲର ବୀନା ରିଫାଇନାରୀ ନିକଟରେ ଡ଼ିଆରଡ଼ିଓ ସହଯୋଗରେ ନିର୍ମାଣାଧୀନ ଅସ୍ଥାୟୀ ୧ ହଜାର ଶଯ୍ୟା ବିଶିଷ୍ଟ ବୃହତ କୋଭିଡ୍ହ ସ୍ପିଟାଲକୁ ପରିଦର୍ଶନ କରିବା ସହ ସମୀକ୍ଷା କରିଛନ୍ତି । ଖୁବ ଶୀଘ୍ର ହସ୍ପିଟାଲର କାର୍ଯ୍ୟକ୍ଷମ ଏବଂ ହସ୍ପିଟାଲରେ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ, ବୀନା ରିଫାଇନାରୀ, ଜିଲ୍ଲା ପ୍ରଶାସନ ଓ ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ସମୀକ୍ଷା କରିଛନ୍ତି ।
ସେହିପରି କରୋନା ମହାମାରୀର ମୁକାବିଲା କରିବା ନେଇ ମଧ୍ୟପ୍ରଦେଶରେ ନିଆଯାଉଥିବା ପଦକ୍ଷେପ ଉପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ଭାରତ ଓମାନ ରିଫାଇନାରୀ ଲିମିଟେଡର ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।
ସେ କହିଛନ୍ତି କୋଭିଡ୍‌-୧୯ ମହାମାରୀକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ କରାଯାଉଥିବା ଏହି ଅସ୍ଥାୟୀ କୋଭିଡ୍ ହସ୍ପିଟାଲକୁ ସହଯୋଗ କରବା ପାଇଁ ବୀନା ରିଫାଇନାରୀ ପ୍ରତିଶ୍ରୁତିବଦ୍ଧ । ପ୍ରତିଦିନ ବୀନା ରିଫାଇନାରୀରୁ ତିଆରି ହେଉଥିବା ଦୈନିକ ୧୦ ଟନ୍ ଗ୍ୟାସୀୟସ ଅକ୍ସିଜେନ୍ ଏବଂ ୪ ଲକ୍ଷ ଲିଟର ପାଣି ଏହି କୋଭିଡ୍ ହସ୍ପିଟାଲକୁ ଯୋଗାଯିବ । ଏହି ୧ ହଜାର ବିଶିଷ୍ଟ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହେଲେ ବର୍ତମାନର
ସଂକଟ ସମୟରେ ମଧ୍ୟପ୍ରଦେଶର ସାଗର, ଭିଦିଶା, ଅଶୋକନଗର, ଗୁଣା ଏବଂ ଆଖପାଖ ଅଂଚଳକୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପହଁଚିପାରିବ । ଭାରତ ଓମାନ ରିଫାଇନାରୀ ଲିମିଟେଡ୍ ଏହି କୋଭିଡ୍ ହସ୍ପିଟାଲକୁ  ନିରନ୍ତର ମେଡ଼ିକାଲ ଅକ୍ସିଜେନ୍ ଯୋଗାଇବା ସହ କୋଭିଡ୍‌-୧୯ ମୁକାବିଲାକୁ ଅଧିକ ମଜବୁତ୍ କରିବାରେ ସବୁପ୍ରକାର ପଦକ୍ଷେପ ନେବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ମେଡ଼ିକାଲ ଅକ୍ସିଜେନ ଉପଲବ୍ଧିକୁ ବଢ଼ାଇବା ପାଇଁ ଭାରତ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ମଧ୍ୟପ୍ରଦେଶ ସରକାର ଏବଂ ବୀନା ରିଫାଇନାରୀ ଆଗାମୀ ଦିନରେ ଦୈନିକ ୩୦୦୦ ବଟୋଲର ବୃହତ ସାଇଜ୍‌ର ଅକ୍ସିଜେନ୍ ତଥା ପାଖାପାଖି ୨୫ ମେଟ୍ରିକ ଟନର ସ୍ଥାୟୀ ମେଡିକାଲ ଅକ୍ସିଜେନ ଉତ୍ପାଦନର ବ୍ୟବସ୍ଥା କରାଯାଉଛି । ଏହା  ମଧ୍ୟପ୍ରଦେଶର ସ୍ୱାସ୍ଥ୍ୟ ଇକୋସିଷ୍ଟମକୁ ସୁଦୃଢ କରିବ ।
ଭାରତର ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକ ରାଜ୍ୟ ସରକାର ତଥା ସ୍ଥାନୀୟ ଜିଲ୍ଲା ପ୍ରଶାସନ ସହ  ସମନ୍ୱୟ ସ୍ଥାପନ କରି ଦେଶରେ ସ୍ୱାସ୍ଥ୍ୟ ଏବଂ କ୍ରିଟିକାଲ କେୟାର ଭିତିଭୂମି ପ୍ରତିଷ୍ଠା କରିବାରେ ସମସ୍ତ ପ୍ରକାର ପଦକ୍ଷେପ ନେଉଥିବା ଶ୍ରୀ ପ୍ରଧାନ କହିଛନ୍ତି । ଏହି ଜରୁରୀକାଳୀନ ସମୟରେ ଭାରତ ସରକାର ଓ ମଧ୍ୟପ୍ରଦେଶ ସରକାର ସବୁଠି ଅକ୍ସିଜେନ୍ ବେଡ଼୍ ଉପଲବ୍ଧି କରାଇବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ  ସୂଚନା ଦେଇଛନ୍ତି ।