ମହାପ୍ରଭୁଙ୍କୁ ୪କେଜି ୮୫୮ଗ୍ରାମ ସୁନା ଏବଂ ୩କେଜି ୮୭୬ଗ୍ରାମ ରୂପା ଅଳଙ୍କାର ଦାନ କଲେ ଭକ୍ତ

ପୁରୀ,ଏନ୍ଏନ୍ଏସ୍: ପବିତ୍ର ବସନ୍ତ ପଞ୍ଚମୀ ତଥା ରଥକାଠ ଅନୁକୂଳ ଅବସରରେ ଜନୈକ ଦାତା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରକୁ ଦାନ କରିଛନ୍ତି ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର। ଏ ସବୁ ଅଳଙ୍କାରରେ ମୋଟ୍ ୪କେଜି ୮୫୮ଗ୍ରାମ ସୁନା ଓ ୩କେଜି ୮୭୬ଗ୍ରାମ ରୂପା ବ୍ୟବହୃତ ହୋଇଛି। ଭକ୍ତଙ୍କ ଦ୍ୱାରା ପ୍ରଦତ୍ତ ଏହି ସ୍ୱର୍ଣ୍ଣ ଅଳଙ୍କାର ମଧ୍ୟରେ ରହିଛି ପ୍ରଭୁ ବଳଭଦ୍ରଙ୍କ ୪୦ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୩ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା ତଥା ଦେବୀ ସୁଭଦ୍ରାଙ୍କ ୨ଟି ତଡ଼ଗି ଓ ୨ଟି ଝୋବା। ଦାତାଙ୍କ ପ୍ରତିନିଧି ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକ ଡ଼. କ୍ରିଷନ କୁମାରଙ୍କୁ ଭେଟି ଏହି ଅଳଙ୍କାର ଦାନ କରିଛନ୍ତି। ମହାପ୍ରଭୁଙ୍କ ବିଭିନ୍ନ ବେଶ ସମୟରେ ଏହି ଅଳଙ୍କାର ବ୍ୟବହୃତ ହେବ। ଏହି ଅବସରରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ମାଧବ ପୂଜାପଣ୍ଡା ସାମନ୍ତ, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ଅନନ୍ତ ତିଆଡ଼ି, ଜନାର୍ଦ୍ଦନ ପାଟ୍ଟଯୋଷୀ ମହାପାତ୍ର ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।