ଉଚ୍ଚଶିକ୍ଷା ବିଭାଗ ଗ୍ରହଣକରିବ କଡା ଆଭିମୁଖ୍ୟ, ମୌଳିକ ସୁବିଧା ନଥିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କରୋନା ଲାଗି ଗତ କିଛି ମାସ ହେବ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୋହଳ ବ୍ୟବସ୍ଥା କରାଯାଇଥିବା ବେଳେ ବର୍ତ୍ତମାନ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣକୁମାର ସାହୁଙ୍କ କହିବା ଅନୁଯାୟୀ, ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିକାଶ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଏହାକୁ ଅଧିକ ତ୍ୱରାନ୍ବିତ କରିବା ସହ ସବୁ ବର୍ଗର ଛାତ୍ରଛାତ୍ରୀ ଯେପରି ଗୁଣାତ୍ମକ ଉଚ୍ଚ ଶିକ୍ଷା ପାଇବେ ସେଥିଲାଗି ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି। ଉଭୟ ଡିଗ୍ରୀ ସମେତ ଗବେଷଣା ଲାଗି ଯେପରି ଉନ୍ନତ ଭିତ୍ତିଭୂମି ସାଙ୍ଗକୁ ପିଲାଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ଦିଆଯିବ ସେ ଦିଗରେ ଗୁରୁତ୍ୱ ଦେବାକୁ ବିଭାଗ ପକ୍ଷରୁ ସମସ୍ତ କଲେଜ ତଥା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ରାଜ୍ୟର ଡିଗ୍ରୀ କଲେଜଗୁଡିକର ଭିତ୍ତିଭୂମି ଯାଞ୍ଚ, ଖାଲି ପଦବୀ ପୂରଣ ଲାଗି ବ୍ୟବସ୍ଥା ସାଙ୍ଗକୁ ଗୁଣାତ୍ମକ ଶିକ୍ଷା ଏବଂ ସର୍ବଭାରତୀୟ ସ୍ତରରେ ହେଉଥିବା ପରୀକ୍ଷାରେ ଯେପରି ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିପାରିବେ ସେଥିଲାଗି ପିଲାଙ୍କ ଦକ୍ଷତା ବୃଦ୍ଧି ଲାଗି ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଡ. ସାହୁ ଦୂଚନା ଦେଇଛନ୍ତି।

ସେହିପରି ଉଚ୍ଚଶିକ୍ଷା ବିଭାଗ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ଥିବା ୮୦୦ରୁ ଉର୍ଦ୍ଧ୍ୱ ଡିଗ୍ରୀ କଲେଜରେ ଖୁବ୍‌ଶୀଘ୍ର ଏକାଡେମିକ୍ ଅଡିଟ୍ ଆରମ୍ଭ ହେବ। ଏହି ଅଡିଟ୍ ଉଭୟ ସରକାରୀ, ଅନୁଦାନପ୍ରାପ୍ତ କଲେଜ ସମେତ ସ୍ୱୟଂଶାସିତ କଲେଜଗୁଡିକରେ ମଧ୍ୟ କରାଯିବ। ଆସନ୍ତା ୩ ମାସ ମଧ୍ୟରେ ରିପୋର୍ଟ ଦାଖଲ କରାଯିବ ବୋଲି ଜଣାପଡିଛି। ଅଡିଟ୍ ସମୟରେ ଯେଉଁ ସବୁ ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ଲାଗି ନିର୍ଦ୍ଦେଶ ରହିଛି ସେ ସବୁ ନଥିଲେ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାବ୍ୟତିତ +୩ରେ ସ୍ତରରେ ଶୈଖିକ ପରିବେଶକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। କଳା, ବିଜ୍ଞାନ, ବାଣିଜ୍ୟରେ ଉଭୟ ପାସ୍ ଓ ଅନର୍ସରେ ଛାତ୍ରଛାତ୍ରୀମାନେ ଯେପରି ଗୁଣାତ୍ମକ ଶିକ୍ଷା ପାଇପାରିବେ ଏବଂ କଲେଜଗୁଡିକର ଭିତ୍ତିଭୂମି ଉତ୍କଷ୍ଟମାନର ହେବ ସେନେଇ ଏହି ଯୋଜନା ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୯୦ଟି ଡିଗ୍ରୀ କଲେଜର ଏକାଡେମିକ ଅଡିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୪ଟି ପର୍ଯ୍ୟାୟରେ ଏହି ଅଡିଟ୍ କରାଯିବ। ଏନେଇ ସ୍ୱତନ୍ତ୍ର ୬ଟି ସ୍କ୍ୱାଡ ଗଠନ କରାଯାଇଛି। ଅଡିଟ୍‌ର ଅଧ୍ୟକ୍ଷ ଭାବେ ରାଜ୍ୟ ବାହାରର ଏକ ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କୁ ଚୟନ କରାଯାଇଛି। ଏହି ଅଡିଟ୍‌ରେ କଲେଜର ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ। ଯଦି କୌଣସି କଲେଜରେ ଶୈକ୍ଷିକ ପରିବେଶ ନଥିବ ବା ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ପାଇବାରୁ ବଞ୍ଚିତ ହେଉଥିବେ ତେବେ ସମ୍ପୃକ୍ତ କଲେଜ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରତିଯୋଗିତାମୂଳକ ସ୍ଥିତିରେ ଓଡ଼ିଆ ଛାତ୍ରଛାତ୍ରୀ ସର୍ବଭାରତୀୟ ସ୍ତରରେ ଯେପରି ଉତ୍କର୍ଷତା ପ୍ରଦର୍ଶିତ କରିବେ ଏବଂ ସଫଳତା ହାସଲ କରିବେ ସେନେଇ ସ୍ୱତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ସେହିପରି ଗବେଷଣା ଦିଗରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏକାଡେମିକ ଅଡିଟ୍‌ରେ ୮ଟି ବିଷୟକୁ ଗୁରୁତ୍ୱ ଦିଆଯିବ। ଯେଉଁଥିରେ କଲେଜର ଭିତ୍ତିଭୂମି, କ୍ୟାମ୍ପସ, ଛାତ୍ରାବାସ, ଅଧ୍ୟାପକଙ୍କ ସଂଖ୍ୟା, ଲାବୋରେଟୋରୀ, ପାଠାଗାର, କ୍ଳାସ୍ ପିରିୟଡ, ଗେଷ୍ଟ୍ ଫାକଲିଟିଙ୍କ ଅଭିଜ୍ଞତାକୁ ଯାଞ୍ଚ କରାଯିବ।

ଅଡିଟ୍‌ରେ ମୋଟ୍ ୧୦୦ମାର୍କ ରହିବ। ସର୍ବନିମ୍ନ ୫୦ପ୍ରତିଶତ ତଳକୁ ମାର୍କ ରହିଲେ ସେହି କଲେଜଗୁଡିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଡିଟ୍‌ରେ କଲେଜଗୁଡିକର ଯାଞ୍ଚ ସାଙ୍ଗକୁ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମତାମତ ମଧ୍ୟ ସଂଗ୍ରହ କରାଯିବ। ୪ଟି ପର୍ଯ୍ୟାୟରେ ଅଡିଟ୍ ବା ଯାଞ୍ଚ କାର୍ଯ୍ୟ ଶେଷ ହେବ। ଅପରପକ୍ଷେ କଲେଜରେ ବାୟୋମେଟ୍ରିକ ବ୍ୟବସ୍ଥା ଯାଞ୍ଚ କରିବା ସହ ଦୈନିକ ଶିକ୍ଷାଦାନ ସମୟ, ଶିକ୍ଷାର ମାନ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ଅନ୍‌ଲାଇନ୍ ପାଠପଢ଼ା ବ୍ୟବସ୍ଥାଗୁଡିକୁ ସମୀକ୍ଷା କରାଯିବ। ସେହିପରି ପ୍ରତ୍ୟେକ କଲେଜଗୁଡିକରେ ଦୈନିକ ପ୍ରତି ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ କେତେ ସମୟ ରହୁଛନ୍ତି, ଯଦି ଜଣେ ଅଧ୍ୟାପକ କୌଣସି କାରଣରୁ ଛୁଟିରେ ରୁହନ୍ତି ତେବେ ସମ୍ପୃକ୍ତ ଅଧ୍ୟାପକ/ଅଧ୍ୟାପିକାଙ୍କ ବିଷୟକୁ କିଭଳି ପଢ଼ାଯିବ ସେଥିଲାଗି ଅଧ୍ୟକ୍ଷଙ୍କ କାର୍ଯ୍ୟପନ୍ଥା ଆଦି ବ୍ୟବସ୍ଥାର ଯାଞ୍ଚ କରିବା ସହ ଯଦି ଗରୀବ ଛାତ୍ରଛାତ୍ରୀଙ୍କ ପାଖରେ ପାଠ୍ୟପୁସ୍ତକ ନଥାଏ କିମ୍ବା ଯେଉଁ ଛାତ୍ରଛାତ୍ରୀମାନେ ଅଫ୍‌ଲାଇନ୍ ଶିକ୍ଷାଦାନ ବ୍ୟବସ୍ଥାରେ ସାମିଲ ହୋଇପାରୁ ନାହାଁନ୍ତି। ସେମାନଙ୍କ ଲାଗି କ’ଣ ବ୍ୟବସ୍ଥା କରାଯାଇଛି ତାହାର ସମୀକ୍ଷା ମଧ୍ୟ କରାଯିବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି। ଆସନ୍ତା ଫେବୃଆରୀ ଶେଷ ସୁଦ୍ଧା ଯାଞ୍ଚ ରିପୋର୍ଟକୁ ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କିମ୍ବା ବିକଳ୍ପ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି।