ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟରେ ଲକଡାଉନ୍ ଲାଗି ସମସ୍ତ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଛି। ଏପରି ସ୍ଥିତିରେ ଜୁନ୍ ୧୭ତାରିଖରେ ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଫଳରେ ରାତି ପାହିଲେ କଲେଜ ଖୋଲିବା ବାଧ୍ୟତାମୁଳକ ଥିବା ବେଳେ ବର୍ତ୍ତମାନର ସମସ୍ୟା ମୁତାବକ ତାହା ସମ୍ଭବପର ହୋଇପାରିବ ନାହିଁ ବୋଲି ଅନେକ କଲେଜର ଶିକ୍ଷକ ଦାବି କରିଛନ୍ତି। ଅଭିଯୋଗ ମୁତାବକ ଏବେ ସୁଦ୍ଧା ସବୁ କିଛି ସମାନ୍ୟ ସ୍ଥିତିକୁ ଫେରି ନଥିବାରୁ ଆସନ୍ତା ଜୁଲାଇ ୩୧ତାରିଖ କଲେଜ ନଖୋଲିବାକୁ ଅଧ୍ୟାପକମାନେ ଦାବି କରିଛନ୍ତି।
ଏନେଇ ୬୬୨ ଏବଂ ୪୮୮ବର୍ଗର କଲେଜ ଅଧ୍ୟାପକ ସଂଘର କର୍ମକର୍ତ୍ତା ମଙ୍ଗଳବାର ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି। ତେବେ ଅଧ୍ୟାପକଙ୍କ ଅଭିଯୋଗ ମୁତାବକ ରାଜ୍ୟର ଅଧିକାଂଶ କଲେଜକୁ ରାଜ୍ୟ ସରକାର କ୍ୱାରେଣ୍ଟାଇନ୍ ସେଣ୍ଟର ଓ ଅସ୍ଥାୟୀ କୋଭିଡ କେୟାର ସେଣ୍ଟର ଭାବେ ବ୍ୟବହାର କରୁଛନ୍ତି। ରାଜ୍ୟର ପରିବହନ ବ୍ୟବସ୍ଥା ମଧ୍ୟ ସ୍ୱଭାବିକ ହୋଇପାରି ନାହିଁ। ଏଭଳି ସ୍ଥିତିରେ ସମ୍ପୃକ୍ତ ଅଧ୍ୟାପକ ଏବଂ କର୍ମଚାରୀ କେମିତି କଲେଜକୁ ଯାଇ ନିଜର କର୍ତ୍ତବ୍ୟ କରିବେ ବୋଲି ପ୍ରଶ୍ନ କରିଛନ୍ତି।