ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା ସମୟରେ ସରକାରଙ୍କ ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଥିବା ଶିକ୍ଷକମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ ପାଇଁ ଦାବି କରାଯାଇଛି। ଆଜି ଏନେଇ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଶିକ୍ଷକମାନଙ୍କ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ, କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷକମାନଙ୍କୁ ବୋର୍ଡର ଚେକ୍ ପଏଣ୍ଟ, ରେଳ ଷ୍ଟେସନ, ବିମାନ ବନ୍ଦର, କୋଭିଡ ସେଣ୍ଟର ଆଦି ସ୍ଥାନରେ ନିୟୋଜିତ କରାଯାଇଛି। ସେହି ସ୍ଥାନରେ ଶିକ୍ଷକମାନେ ସରକାରଙ୍କ ନିର୍ଦ୍ଦେଶ ଏବଂ ନିଜର କର୍ତ୍ତବ୍ୟ ପାଳନ କରିବା ସମୟରେ କରୋନାରେ ଆକ୍ରାନ୍ତ ହେବାସହ ପ୍ରାଣ ହରାଉଛନ୍ତି। ତେଣୁ କରୋନା ଡ୍ୟୁଟିରେ ଥିବା ଶିକ୍ଷକଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେବାସହ କରୋନାରେ ସେମାନଙ୍କ ମୃତ୍ୟୁ ହେଲେ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ, କାର୍ଯ୍ୟ ସମୟରେ ମାସ୍କ, ଫେସ୍ ସିଲ୍ଡ, ସାନିଟାଇଜର ପ୍ରଦାନ ଏବଂ ସମସ୍ତ ଶିକ୍ଷକଙ୍କ ପାଇଁ ଭେକସିନର ବ୍ୟବସ୍ଥା କରାଯାଉ ବୋଲିଲ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ଦାବି କରାଯାଇଛି।