ସହରାଞ୍ଚଳ ପରିବହନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ କ୍ରୁଟକୁ ମିଳିଲା ଜାତୀୟ ପୁରସ୍କାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ‘ମୋ ବସ୍’ ସେବା ପାଇଁ ପୁଣି କ୍ରୁଟ୍ ପୁରସ୍କୃତ ହୋଇଛି। କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଅର୍ବାନ ମୋବିଲିଟି ଇନିସିଏଟିଭ୍ ସମ୍ମିଳନୀରେ କ୍ରୁଟକୁ ପୁରସ୍କୃତ କରାଯାଇଛି। ବିଗତ ଏକ ବର୍ଷରେ ସହରାଞ୍ଚଳ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରି କ୍ରୁଟ୍ ଉତ୍କର୍ଷତା ହାସଲ କରିଛି।

କୋଭିଡ୍ ମହାମାରୀ ବେଳେ ଏକ ବିପରୀତ ସମୟରେ ମୋ ବସ୍ ଜନସାଧାରଣଙ୍କ ସେବାରେ ଲାଗିଥିଲା। ଏନେଇ ପୁରସ୍କାର ବିତରଣୀ ଉତ୍ସବରେ ବିସ୍ତୃତ ତଥ୍ୟ ରଖିଥିଲେ କ୍ରୁଟର ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର। କୋଭିଡ୍ ସତ୍ତ୍ୱେ ମୋ ବସ୍ ଦୈନିକ ୧ ଲକ୍ଷରୁ ଅଧିକ ଯାତ୍ରୀଙ୍କ ବିଶ୍ୱାସଭାଜନ ହୋଇ ପାରିଛି।

ରାଜ୍ୟର ସହରାଞ୍ଚଳ ପରିବହନ କ୍ଷେତ୍ରରେ କ୍ରୁଟ୍ ଅନନ୍ୟ ଭୂମିକା ଗ୍ରହଣ କରିଛି। ସମୟାନୁସାରେ ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ କ୍ରୁଟର ସେବାକୁ ଆହୁରି ତ୍ୱରାନ୍ୱିତ କରାଯାଉଛି। ସେହିପରି ଆଗାମୀ କିଛିଦିନ ମଧ୍ୟରେ ଇ-ବସ୍, ଇ-ରିକ୍ସା ଲଞ୍ଚ କରିବାକୁ ଯୋଜନା କରି ଓଡ଼ିଶାରେ ଇଲେକ୍ଟ୍ରିକ୍ ଯାନ ନୀତିକୁ ତୁରନ୍ତ ଆପଣେଇ ପାରିଛି।