୧୧୦ ଡଲାର ଛୁଇଁଲା ଅଶୋଧିତ ତୈଳ ଦର, ମୁଦ୍ରାସ୍ଫୀତି ଅପେକ୍ଷା ଏହା ଅଧିକ ଭୟଙ୍କର: ହରଦୀପ୍ ପୁରୀ

ନୂଆଦିଲ୍ଲୀ,ଏଜେନ୍ସି: ଅନ୍ତର୍ଜାତୀୟ ବଜାରରେ ପୁଣି ଥରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ଏହାକୁ ନେଇ ଆଶଙ୍କା ଜାହିର କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ୍ ସିଂ ପୁରୀ। ଯେଉଁ ସମୟରେ ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୧୭ ବର୍ଷରେ ସର୍ବାଧିକ ସ୍ତରରେ ପହଞ୍ଚିଛି ସମାନ ସମୟରେ ତୈଳଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ହରଦୀପ୍ ସିଂ ପୁରୀ। ଅଶୋଧିତ ତୈଳଦର ବୃଦ୍ଧି ମୁଦ୍ରାସ୍ଫୀତିଠାରୁ ମଧ୍ୟ ବଡ ସମସ୍ୟ ବୋଲି ସେ କହିଛନ୍ତି। ଯଦି ଅଶୋଧିତ ତୈଳର ମୂଲ୍ୟ ଏହିପରି ଭାବରେ ବୃଦ୍ଧି ପାଏ ତେବେ ଏହା ମୁଦ୍ରାସ୍ଫୀତି ଅପେକ୍ଷା ବୃହତ୍ତର ସମସ୍ୟାକୁ ଆମନ୍ତ୍ରଣ କରିବ। ଡାଭୋସରେ ଅନୁଷ୍ଠିତ ଏକ ବୈଠକରେ ଏଭଳି ମତ ରଖିଛନ୍ତି ହରଦୀପ୍। ଉଲ୍ଲେଖଯୋଗ୍ୟ ଯେ, ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଭୟ ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଥିଲା।

ୟୁରୋପୀୟ ୟୁନିଅନ ଦ୍ୱାରା ରୁଷରୁ ଅଶୋଧିତ ତୈଳ ଆମଦାନୀ ଉପରେ ବ୍ୟାନ ଲଗାଇବା ଦାବି ପରେ ତୈଳର ମୂଲ୍ୟ ଗତ ୭ ସପ୍ତାହର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ୧୧୫ ଡଲାର ପ୍ରତି ବ୍ୟାରେଲ ପାର କରିଛି, ଯାହା ମାର୍ଚ୍ଚ ୨୮ ପରେ ସର୍ବାଧିକ। ଏହା ପୂର୍ବରୁ ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ୨୦୦୮ ପରେ ପ୍ରଥମ ଥର ପାଇଁ ୧୩୯ ଡଲାର ପ୍ରତି ବ୍ୟାରେଲର ଉଚ୍ଚତମ ସ୍ତରରେ ପହଞ୍ଚିଥିଲା। ରୁଷରୁ ଅଶୋଧିତ ତୈଳ ଆମଦାନୀ ଉପରେ ବ୍ୟାନ ଲଗାଇବା ଦାବି ପରେ ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି।

ଅନ୍ୟପଟେ ଚୀନରେ କରୋନା ଯୋଗୁଁ ଲାଗୁ ହୋଇଥିବା ଲକଡାଉନ କୋହଳ ହେବା ଖବର ପରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଉଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ, ଲକଡାଉନ କୋହଳ ହେବାରେ ଅଶୋଧିତ ତୈଳର ଚାହିଦା ବୃଦ୍ଧି ପାଇବ ଏବଂ ଅନ୍ୟ ଯୋଗାଣ ଅଭାବ ଯୋଗୁଁ ମୂଲ୍ୟ ବୃଦ୍ଧି ଦେଖିବାକୁ ମିଳିପାରେ। ମାର୍ଚ୍ଚ ୨୨ରୁ ଏପ୍ରିଲ ୬ ମଧ୍ୟରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୧୦ ଟଙ୍କା ବୃଦ୍ଧି ହୋଇସାରିଛି। କିନ୍ତୁ ଏବେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ହେଲେ ଏହାର ପ୍ରଭାବ ଭାରତର ଖାଉଟିଙ୍କ ଉପରେ ମଧ୍ୟ ପଡିବ।