ସୁନ୍ଦରଗଡ଼ ଓ ଯାଜପୁରକୁ ୫ କୋଟି ଲେଖାଏଁ ଅନୁଦାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲାର କୋଭିଡ ପରିଚାଳନା ସ୍ଥିତି ସମୀକ୍ଷା କରିଥିଲେ। ସମୀକ୍ଷା ପରେ  ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୫କୋଟି ଟଙ୍କା ଲେଖାଏଁ ଅନୁଦାନ ଘୋଷଣା କରିଛନ୍ତି ।

ସେହିପରି  ରାଉରକେଲା ଆଇଜିଏଚରେ ପ୍ଲାଜମା ଥେରାପି ହେବ । ରାଉରକେଲାରେ କୋଭିଡ଼ କେୟାର ସେଣ୍ଟର ଶଯ୍ୟା ସଂଖ୍ୟା ୧୭୦୦କୁ ବୃଦ୍ଧି କରାଯିବ। ଏବେ ରାଉରକେଲାରେ ୭୦୦ କୋଭିଡ଼ କେୟାର ଶଯ୍ୟା ଅଛି । ସହରର ବସ୍ତି ଓ ଜନଗହଳି ସ୍ଥାନରେ କରୋନା ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯିବ । ଯାଜପୁର ଜିଲ୍ଲାରେ ମଧ୍ୟ ଆଉ ୨୫୦ କୋଭିଡ଼ ଶଯ୍ୟା ବଢ଼ାଯିବ ବୋଲି ଆଲୋଚନା ହୋଇଥିଲା । ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ମୁଖ୍ୟ ଶାସନ ସଚିବ , ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।