‘ଗୁରୁତର ହୋଇନଥିଲେ ହସ୍ପିଟାଲ ଆସନ୍ତୁ ନାହିଁ, ଟିକା ଆସିଲେ ସମସ୍ତଙ୍କୁ ମିଳିବ’

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ବହୁ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି କୋଭିଡ୍ ନିୟମ ପାଳନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଦ୍ୱିତୀୟ ଲହର ଏତେ ଭୟାନକ ହେବ ବୋଲି ଆଶା କରିନଥିଲୁ। ଆଜି ରାଜ୍ୟ ସଂକ୍ରମଣରେ ସର୍ବକାଳୀନ ରେକର୍ଡ କରିଛି। ମେ ୧ରୁ ଟିକାକରଣ ହୋଇ ପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏଥିସହ ଗୁରୁତର ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସେ ଅପିଲ୍ କରିଛନ୍ତି। ରାଜ୍ୟରେ ଅକ୍ସିଜେନ୍ ଅଭାବ ନଥିବା ସଚିବ କହିଛନ୍ତି। ଏବେ ଦେଶର ୮୦ ପ୍ରତିଶତ କେସ୍ ୮/୯ଟି ରାଜ୍ୟରୁ ଆସୁଛି। ତେଣୁ ଆମକୁ ସତର୍କ ରହିବା ବହୁ ଜରୁରୀ। କୋଭିଡ୍ ନିୟମ ପାଳନ କଲେ ଆମେ ସ୍ଥିତିକୁ ନିୟନ୍ତ୍ରଣ କରି ପାରିବା। ନିହାତି ଭାବେ ମାସ୍କ ପିନ୍ଧନ୍ତୁ, ବଜାରକୁ ଗଲେ ସଚେତନ ରୁହନ୍ତୁ ବୋଲି ସଚିବ କହିଛନ୍ତି।

ସେ କହିଛନ୍ତି, ଦେଶର ସ୍ଥିତି କେଉଁଆଡେ ଯିବ, କେହି ଆକଳନ କରି ପାରୁନାହାନ୍ତି। ଏବେ ୩୩ ପ୍ରତିଶତ ସାଧାରଣ ବେଡ୍, ୬୯ ପ୍ରତିଶତ ଆଇସିୟୁ, ୩୫ ପ୍ରତିଶତ ଭେଣ୍ଟିଲେଟର ବ୍ୟବହୃତ ହୋଇଛି। କରୋନା ଔଷଧ ରେମଡେସିଭି ସମ୍ପର୍କରେ ସ୍ୱାସ୍ଥ୍ୟ ଏସିଏସ କହିଛନ୍ତି ଯେ, ରାଜ୍ୟରେ ରେମଡେସିଭିରର ଅଭାବ ନାହିଁ। ଦୈନିକ ରାଜ୍ୟରେ ୧୨ ଶହ ରେମଡେସିଭିର ଦରକାର ହେଉଛି। ଆମ ପାଖରେ ୪୩ ହଜାର ରେମଡେସିଭିର ଷ୍ଟକ ରହିଛି। ଆହୁରି ୨୧ ହଜାର ରେମଡେସିଭିର ଆମ ପାଖରେ ପହଞ୍ଚିବ। ଯାହା ଅଭାବ କଥା କୁହାଯାଉଛି ତାହା ଘରୋଇ ହସ୍ପିଟାଲରେ ହୋଇଥିବା ସଚିବ କହିଛନ୍ତି। ଅତି ଗୁରୁତର ନଥିଲେ ହସ୍ପିଟାଲ ଆସନ୍ତୁ ନାହିଁ। ହୋମ ଆଇସୋଲେସନରେ ରୁହନ୍ତୁ। ଯାହାକୁ ଜରୁରୀ ସେ ହସ୍ପିଟାଲ ଆସନ୍ତୁ। ରାଜ୍ୟର ପ୍ରତି ଜିଲ୍ଲାରେ ପର୍ଯ୍ୟାପ୍ତ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ଯଦି ହୋମ ଆଇସୋଲେସନରେ ଅବସ୍ଥା ଗୁରୁତର ହୁଏ ତେବେ ଆମ୍ବୁଲାନ୍ସ ଘରକୁ ଯାଇ ମେଡିକାଲ ଆଣିବ। ଜରୁରୀ ଲୋକଙ୍କୁ ବେଡ୍ ଦିଅନ୍ତୁ। ସେ କହିଛନ୍ତି କେବେ ଆମ ପାଖରେ ଟିକା ପହଞ୍ଚିବ, କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଦୁଇ ଟିକା କମ୍ପାନୀ ଟିକା ଦେବାକୁ ଆମକୁ ଆଶ୍ୱାସନା ଦେଇଛନ୍ତି। ଟିକା ପହଞ୍ଚିଲେ ଯାଇ ୧୮ ରୁ ୪୪ ବର୍ଗଙ୍କ ଟିକାକରଣ ଆରମ୍ଭ ହେବ ବୋଲି ଅତିରିକ୍ତ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ସମସ୍ତେ ଟିକା ପାଇଁ ନାମ ପଞ୍ଜୀକରଣ କରନ୍ତୁ। ଟିକା ଆସିଲେ ଟିକା ଦିଆଯିବ।