ଏଣିକି ଭୁବନେଶ୍ୱରର ବଡ ହୋଟେଲରେ ରହିବେ କରୋନା ରୋଗୀ, ମିଳିବ ଉତ୍ତମ ଚିକିତ୍ସା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦିଲ୍ଲୀ ଓ ମୁମ୍ବାଇ ଭଳି ଏବେ ଭୁବନେଶ୍ୱରରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ବିଏମସି କମିସନର ସଂଜୟ ସିଂହ ଏନେଇ ହୋଟେଲ ମାଲିକମାନଙ୍କ ସହ ଆଲୋଚନା କରିଥିବାବେଳେ ଖୁବଶୀଘ୍ର ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି।

ହସ୍ପିଟାଲ ଭଳି ହୋଟେଲରେ ମଧ୍ୟ ରୋଗୀଙ୍କୁ ସେବା ଯୋଗାଇ ଦିଆଯିବ। କମ ଲକ୍ଷଣ ଥିବା ରୋଗୀଙ୍କୁ ହୋଟେଲରେ ରଖାଯିବ। ଏଥିପାଇଁ ହସପିଟାଲ ଓ ହୋଟେଲ ମଧ୍ୟରେ ଚୁକ୍ତି କରାଯିବ। ହୋଟେଲରେ ଡାକ୍ତରୀ ଟିମ ଓ ଅକ୍ସିଜେନ ସିଲିଣ୍ଡର ବି ରହିବ।

ଗୁରୁତର ହେଲେ ସେମାନଙ୍କୁ ହସପିଟାଲକୁ ସ୍ଥାନାନ୍ତର କରାଯିବ। ବିଏମସି କମିସନର ଶ୍ରୀ ସିଂହ ପ୍ରାୟ ୧୫ଟି ହୋଟେଲ ସହ ଏନେଇ ଆଲୋଚନା କରିଛନ୍ତି। ଅପରପକ୍ଷରେ ହୋଟେଲ ମାଲିକମାନେ ଏହି ପ୍ରସ୍ତାବରେ ରାଜି ଥିବା ଜାଣିବାକୁ ମିଳିଛି।