ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ମାସ ମାର୍ଚ୍ଚ୧ ରେ ହେବାକୁ ଥିବା ମହାଶିବରାତ୍ରୀ ପାଇଁ କୋଭିଡ୍ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏହି ଦିନ ରାଜ୍ୟର ବିଭିନ୍ନ ପ୍ରମୁଖ ଶିବ ମନ୍ଦିରରେ ହେବାକୁ ଥିବା ଭିଡ଼କୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର । ଜାରି ହୋଇଥିବା ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟର ବିଭିନ୍ନ ମନ୍ଦିରରେ ହେବାକୁ ଥିବା ଭିଡ଼ ଉପରେ ଜିଲ୍ଲାପାଳ / ମ୍ୟୁନିସିପାଲିଟି କମିଶନରମାନେ ନଜର ରଖିବେ ।
ପ୍ରଚଳିତ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଯେପରି ସ୍ଥାନୀୟ ମନ୍ଦିର ଏବଂ ଏହାର ପରିସର ମଧ୍ୟରେ ଥିବା ସ୍ଥାନଗୁଡିକରେ କରୋନା ସୁରକ୍ଷା ପ୍ରୋଟୋକଲକୁ କଡାକଡି ଭାବରେ ପାଳନ କରିବାକୁ କୁହାଯାଇଛି । ମନ୍ଦିର ପରିସର ମଧ୍ୟରେ ସୀମିତ ଜନସମାଗମ କରିବା ସହିତ ଭକ୍ତମାନେ ମାସ୍କ ପିନ୍ଧିବା, ଶାରୀରିକ ଦୂରତା ଏବଂ ହାତ ଧୋଇବା ଆଦି ଉପରେ ଧ୍ୟାନ ଦେବେ ସ୍ଥାନୀୟ ଅଧିକାରୀ ।
ସ୍ଥାନୀୟ ପରିସ୍ଥିତିକୁ ଅନୁଧ୍ୟାନ କରି ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର, ପୋଲିସ୍ କମିଶନର, ଭୁବନେଶ୍ୱର – କଟକ ମନ୍ଦିର ମନ୍ଦିର ତଥା ଧାର୍ମିକ ସ୍ଥାନ ମାନଙ୍କରେ ଭକ୍ତଙ୍କ ପ୍ରବେଶ ଉପରେ ଉପଯୁକ୍ତ ପ୍ରତିବନ୍ଧକ ଲଗାଇପାରେ। ସେହିପରି ମ୍ୟୁନିସିପାଲିଟି କମିଶନରମାନେ କୋଭିଡ ଉପଯୁକ୍ତ ଆଚରଣ ଏବଂ ନିୟମକୁ କଡାକଡି ପାଳନ କରି ନିଜ ନିଜ ଅଧୀନରେ ଥିବା କୌଣସି ଧାର୍ମିକ ରୀତିନୀତି / ପର୍ବ / ପୂଜାରେ ଯୋଗଦେବାକୁ ବ୍ୟକ୍ତିଙ୍କ ସଂଖ୍ୟା ସ୍ଥିର କରିପାରନ୍ତି ବୋଲି କୁହାଯାଇଛି।