କରୋନା ପ୍ରଭାବ : ଚଢ଼ା ଦର ନେଉଛନ୍ତି ବ୍ୟବସାୟୀ

ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ସମଗ୍ର ରାଜ୍ୟକୁ ମଙ୍ଗଳବାର ମଧ୍ୟରାତ୍ରରୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ଏହି ମହାମାରୀର କୌଣସି ପ୍ରତିକାର ନ ଥିବାରୁ ଲୋକମାନେ ନିଜର ତଥା ପରିବାର ବର୍ଗଙ୍କ ଜୀବନ ବଞ୍ଚାଇବା ପାଇଁ ପଦାକୁ ନ ବାହାରିବା ସକାଶେ ରାଜ୍ୟ ସରକାର ବାରମ୍ବାର ନିବେଦନ କରୁଛନ୍ତି। ଦୋକାନ ବଜାର ବନ୍ଦ ରହିଥିବା ବେଳେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ତେଜରାତି, ଫଳ, ପନିପରିବା, ମାଛ, ମାଂସ, ଅଣ୍ଡା, ଚିକେନ୍‌, ଔଷଧ ଆଦି ଦୋକାନ ଖୋଲା ରହିଛି । କାଁ ଭାଁ ତେଜରାତି ଦୋକାନ ଖୋଲା ରହିଥିବା ବେଳେ ଏ ସବୁ ଦୋକାନରେ ଅହେତୁକ ଭିଡ଼ ଦେଖିବାକୁ ମିଳୁଛି । ଲକ୍‌ଡାଉନ୍‌ର ସୁଯୋଗ ନେଇ ଗ୍ରୋସରୀ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଦୋକାନଗୁଡିକ ଚଢ଼ା ଦରରେ ବିକ୍ରି କରିବା ଆରମ୍ଭ କରିଛନ୍ତି ।

ହୋଲ୍‌ସେଲ୍‌ ବଜାରରେ ଆଳୁ କିଲୋ ୧୪ରୁ ୧୫ ଟଙ୍କା ମଧ୍ୟରେ ମିଳୁଥିବା ବେଳେ ଦୁର୍ନୀତିଖୋର ବ୍ୟବସାୟୀମାନେ କିଲୋ ପ୍ରତି ୩୦ ଟଙ୍କାରେ ବିକ୍ରି କରୁଛନ୍ତି । ସେହିପରି ପିଆଜର ହୋଲ୍‌ସେଲ୍‌ ଦର ୨୦ରୁ ୨୨ ଟଙ୍କା ଥିବାବେଳେ ଖୁଚୁରା ବ୍ୟବସାୟୀମାନେ ଲକ୍‌ଡାଉନ୍‌ର ସୁଯୋଗ ନେଇ କିଲୋପ୍ରତି ୪୦ ଟଙ୍କାରେ ବିକ୍ରି କରୁଛନ୍ତି । ଗୋଟିଏ ପଟେ କାମଧନ୍ଦା ବନ୍ଦ ଥିବାବେଳେ ଅନ୍ୟପଟେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ସାଧାରଣ ଗରିବ ଓ ଦିନମଜୁରିଆ ଲୋକଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି । ରାଜ୍ୟ ସରକାର ଏହି ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।