କଟକ,ଏନ୍ଏନ୍ଏସ୍: କଟକ ଜିଲ୍ଲାରେ କରୋନା ଆକ୍ରାନ୍ତ ରୋଗୀ ସୁସ୍ଥ ହେବା ଏବଂ ଆଜି ପର୍ଯ୍ୟନ୍ତ ନୂତନ ଆକ୍ରାନ୍ତ ଚିହ୍ନଟ ନହେବା ଯୋଗୁଁ ଜିଲ୍ଲା ପ୍ରଶାସନ ଆଶ୍ୱସ୍ତି ଲାଭ କରିଛି। ଏହା ଦ୍ୱାରା କଟକ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣର ଭୟ ଦୂର ହୋଇଥିବା ସ୍ପଷ୍ଟ ହୋଇଛି। ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ରୋକିବା ନିମନ୍ତେ କଟକ ସହରର ବକ୍ସିବଜାର ସମେତ ଜିଲ୍ଲା ଅନ୍ତର୍ଗତ ୨ଟି ବ୍ଲକର ୩ଟି ୱାର୍ଡକୁ ମଧ୍ୟ ଜିଲ୍ଲାପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ଏହି ଅଞ୍ଚଳକୁ ଜନସାଧାରଣଙ୍କ ଗମନାଗମନ ଉପରେ ଅଙ୍କୁଶ ଲଗାଯିବା ସହ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତେବେ ଏହି ଅଞ୍ଚଳରେ ସମସ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସ୍ୱାବ ନମୂନାରୁ କରୋନା ନେଗେଟିଭ ଆସିବା ପରେ ସମ୍ପୃକ୍ତ ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ ଘୋଷଣାକୁ ପ୍ରତ୍ୟାହାର କରି ନିଆଯାଇଛି। ତେବେ ଏହି ଅଞ୍ଚଳମାନଙ୍କରେ ଅନ୍ୟ ଅଞ୍ଚଳ ଭଳି ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରହିବ ।
ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ଗୋଷ୍ଠି ସଂକ୍ରମଣ ଆଶଙ୍କାରେ ଜିଲ୍ଲାପ୍ରଶାସନ ପକ୍ଷରୁ କଟକ ସହରର ବକ୍ସିବଜାର ଅଞ୍ଚଳ ସମେତ ନିଶ୍ଚିତ କୋଇଲି ଓ ସାଲେପୁର ବ୍ଲକର କିଛି ୱାର୍ଡ଼କୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ଜିଲ୍ଲାପାଳ ବକ୍ସିବଜାର ସ୍ଥିତ ପଟ୍ଟାପୋଲ ସମେତ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜୟରାମପୁର ଗ୍ରାମ ପଞ୍ଚାୟତର ୧ନମ୍ବର ୱାର୍ଡ଼ ଏବଂ ସାଲେପୁର ବ୍ଲକ ଅନ୍ତର୍ଗତ ମିର୍ଜାପୁର ଗ୍ରାମପଞ୍ଚାୟତର ୧୨ ଓ ୧୩ ନମ୍ବର ୱାର୍ଡ଼କୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଥିଲେ। ତେବେ ନିଶ୍ଚିନ୍ତକୋଇଲି ଏବଂ ସାଲେପୁର ଅଞ୍ଚଳ ସହିତ କଟକ ବକ୍ସିବଜାର ପଟ୍ଟାପୋଲ କରୋନା ଆକ୍ରାନ୍ତଙ୍କ ସହ କୌଣସି ସମ୍ପର୍କ ନଥିଲେ ମଧ୍ୟ ଯାଜପୁର ଜିଲ୍ଲାର ଚିହ୍ନଟ କରୋନାରୋଗୀଙ୍କ ଟ୍ରାଭେଲ ହିଷ୍ଟିରେ ନିଶ୍ଚିନ୍ତକୋଇଲି ଓ ସାଲେପୁର ଅଞ୍ଚଳକୁ ବୁଲିବାକୁ ଆସିଥିବା ଜଣାପଡ଼ିଥିଲା।
ତେବେ ଯାଜପୁରର ସମ୍ପୃକ୍ତ ରୋଗୀଙ୍କ ଠାରୁ ଏହି ଅଞ୍ଚଳରେ ରୋଗ ସଂକ୍ରମଣ ହେବାର ଆଶଙ୍କା ଥିବାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ଗତ ଏପ୍ରିଲ ୫ତାରିଖରେ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ସମ୍ପୃକ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ପରେ ଏହାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଯାଜପୁର ଜିଲ୍ଲାର କରୋନା ସଂକ୍ରମିତ ରୋଗୀ ଜଣକ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯିବା ପରେ ଏହି ଅଞ୍ଚଳର ସ୍ଥିତିକୁ ଜିଲ୍ଲାପାଳ ଅନୁଧ୍ୟାନ କରିବା ପରେ ଏଠାରୁ କଣ୍ଟେନମେଣ୍ଟ ଜୋନ ଘୋଷଣାକୁ ପ୍ରତ୍ୟାହାର କରିଛନ୍ତି ।
ସୂଚନା ଯୋଗ୍ୟ ଯେ, କଟକ ପଟ୍ଟାପୋଲ ଅଞ୍ଚଳରେ କରୋନା ରୋଗୀ ସୁସ୍ଥ ହେବା ଏବଂ ସମ୍ପୃକ୍ତ ଅଞ୍ଚଳରେ ନୂତନ ରୋଗୀ ଚିହ୍ନଟ ନହେବା ଯୋଗୁଁ ଗତକାଲି ଏହି ଅଞ୍ଚଳକୁ ମଧ୍ୟ କଣ୍ଟେମେଣ୍ଟ ଜୋନରୁ ମୁକ୍ତ କରାଯାଇଥିଲା। ତେବେ ପୂର୍ବରୁ କଟକ ଜିଲ୍ଲାର ୩ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବାବେଳେ ଏ ସବୁ ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ ଘୋଷଣା ପ୍ରତ୍ୟାହାର କରାଯାଇଥିବା ଜିଲ୍ଲାପାଳ ଶ୍ରୀ ଚୟନୀ ସୂଚନା ଦେଇଛନ୍ତି। ଏଥି ସହିତ ଜିଲ୍ଲାର ସମସ୍ତ ଜନସାଧାରଣ ଲକ୍ ଡାଉନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି କରୋନାକୁ ପ୍ରତିହତ କରିବାରେ ସଫଳ ହେବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି।