ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ଭୁବନେଶ୍ବର,ଏନ୍ଏନ୍ଏସ୍: ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ଟୁଇଟ କରି ଲେଖିଛନ୍ତି, ଓଡ଼ିଶାର ପ୍ରଗତି ପାଇଁ ଶ୍ରୀ ବିଷ୍ଣୁଚରଣ ସେଠୀଙ୍କ ଅବଦାନ ଅତୁଳନୀୟ। ଜଣେ କଠିନ ପରିଶ୍ରମୀ ବିଧାୟକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସାମାଜିକ ସଶକ୍ତିକରଣ ପାଇଁ ତାଙ୍କ ଯୋଗଦାନ ପ୍ରଶଂସାଯୋଗ୍ୟ। ତାଙ୍କ ବିୟୋଗରେ ଦୁଃଖିତ। ତାଙ୍କ ପରିବାର ଏବଂ ସମର୍ଥକମାନଙ୍କୁ ସମବେଦନା । ଓଁ ଶାନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ଖବର ବିଷୟରେ ଜାଣି ମୁଁ ଦୁଃଖିତ । ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କ କଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ଏପରି ଦୁଃଖଦ ସମୟରେ ଶୋରସନପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି ।

ରାଜ୍ୟପାଳ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ବିଷ୍ଣୁ ସେଠୀଙ୍କ ଭଳି ଜଣେ ଦକ୍ଷ ବିଧାୟକ ଓ ଲୋକପ୍ରିୟ ରାଜନେତା ଆମ ଗହଣରେ ଆଉ ନାହାନ୍ତି । ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରୁଛି । ସେହିପରି ସଂସଦ ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି ଓଡିଶା ବିଧାନସଭାର ବରିଷ୍ଠ ସଦସ୍ୟ ତଥା ପ୍ରବୀଣ ଜନନେତା ବିଷ୍ଣୁ ସେଠୀଙ୍କ ଅକାଳ ଵିୟୋଗରେ ମୁଁ ମର୍ମାହତ।

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ମଧ୍ୟ ଟୁଇଟ କରି ଶୋକ ପ୍ରକାଶ କରି ଲେଖିଛନ୍ତି, ଧାମନଗର ବିଧାୟକ ତଥା ବିଧାନସଭାର ଉପନେତା ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ । ବିରୋଧି ଦଳ ଉପନେତା ଭାବରେ ବିଧାନସଭାରେ ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କୁ ସମାଲୋଚନା କରିବାରେ ତାଙ୍କର ବଳିଷ୍ଟ ଭୂମିକା ଥିଲା ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟୁଇଟ କରି ଶୋକବ୍ୟକ୍ତ କରି ଲେଖିଛନ୍ତି ଯେ, ଓଡ଼ିଶା ବିଧାନସଭାର ବିରୋଧୀ ଦଳର ଉପନେତା, ଆମ ଦଳର ବରିଷ୍ଠ ନେତା ତଥା ଧାମନଗର ବିଧାୟକ ବଡ଼ ଭାଇ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ବିଷ୍ଣୁ ଭାଇଙ୍କ ସହ ମୋର ପାରିବାରିକ ସମ୍ପର୍କ ଥିଲା । ଜଣେ ବଡ଼ ଭାଇ ଭାବରେ ସେ ମୋତେ ସ୍ନେହ ଆଦର କରନ୍ତି ।