ଚଳିତବର୍ଷର ପାସ୍ ହାରକୁ ଦୃଷ୍ଟିରେ ରଖି କଲେଜରେ ବୃଦ୍ଧି ପାଇବ ସିଟ୍ ସଂଖ୍ୟା- ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତବର୍ଷ ବିନା ପରୀକ୍ଷାରେ ରେକର୍ଡ ସଂଖ୍ୟକ ପାସ ହାର ରହିଥିବାରୁ ସେହି ହିସାବରେ କଲେଜରେ ସିଟ୍ ନଥିବା ତଥ୍ୟ ସାମ୍ନାକୁ ଆସିଥିଲା। ତେବେ ସମସ୍ୟାର ସମାଧାନ ଲାଗି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, କୌଣସି ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ହେବେନି। ସ୍ଥିତିକୁ ଦୃଷ୍ଟିରେ ରଖି ଯେଉଁଠି ଆବଶ୍ୟକ ପଡିବ ସେଠାରେ ସିଟ୍‌ ବୃଦ୍ଧି କରାଯିବ।

ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏଥର ୧୦ରୁ ୩୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ନେଇ ଚିନ୍ତା କରାଯାଉଛି। ତେଣୁ ଛାତ୍ରଛାତ୍ରୀ ଓ ଅଭିଭାବକ ଆଶ୍ୱସ୍ତ ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ଏନେଇ ସରକାରୀ ସ୍ତରରେ ବିଚାରବିମର୍ଶ ଚାଲିଛି। ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ। ସେପଟେ ଆସନ୍ତା ସପ୍ତାହରୁ ନାମଲେଖା ଆରମ୍ଭ କରିବାକୁ ଯୋଜନା କରାଯାଉଛି।

ସୂଚନାନୁସାରେ, ରାଜ୍ୟରେ ଚଳିତବର୍ଷ ମାଟ୍ରିକ ପାସ୍‌ ହାର ସର୍ବାଧିକ ୯୭.୮୯% ରହିଛି। ହେଲେ ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟରେ ପର୍ଯ୍ୟାପ୍ତ ସ୍ଥାନ ନାହିଁ। ଫଳରେ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବା ଆଶଙ୍କା କରିବେ ବୋଲି ଆଲୋଚନା ଜୋର ଧରିଥିଲା।