ମୁଖ୍ୟମନ୍ତ୍ରୀଙ୍କ କୋଭିଡ ମୁକାବିଲା ସମୀକ୍ଷା: କୋଭିଡ ନିୟମ ପାଳନ କରିବା ପାଇଁ ଅନୁରୋଧ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡର ସମ୍ଭାବ୍ୟ ତୃତୀୟ ଲହରୀର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ ରହିବା ସହିତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ଏବଂ ସରକାରଙ୍କୁ ପୂର୍ଣ୍ଣ ସହଯୋଗ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡର ନୂଆ ଭାରିଆଣ୍ଟର ଭୟାବହତା ସଂପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସବୁ ଦେଶକୁ ସତର୍କ କରାଇ ଦେଇଛନ୍ତି ଏବଂ ଏହା ଗୁରୁତର ପ୍ରଭାବ ପକାଇବାର ମଧ୍ୟ ଅଶଂକା ବ୍ୟକ୍ତ କରିଛନ୍ତି। ଗତ କିଛି ସପ୍ତାହ ହେଲା ଇୟୁରୋପରେ ସଂକ୍ରମଣ ବୃଦ୍ଧି ପାଇଛି। ଏହି ନୂଆ ଭାରିଆଣ୍ଟ ଅଧିକ ସଂକ୍ରମଣଶୀଳ ଥିବାରୁ ଜନସାଧାରଣ ଏହାକୁ ଗୁରୁତର ସହ ନେବା ପାଇଁ ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଥମରୁ ହିଁ ଓଡିଶା ଏହି ମହାମୀରୀ ମୁକାବିଲା ପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଆସିଛି। ଆହ୍ୱାନମୂଳକ ପରିସ୍ଥିତି ସତ୍ତ୍ବେ ଜନସାଧାରଣଙ୍କ ସହଯୋଗରେ ଓଡିଶା ସଫଳତାର ସହିତ ପ୍ରଥମ ଓ ଦ୍ୱିତୀୟ ଲହରୀର ମୁକାବିଲା କରିଥିଲା ଏବଂ ବର୍ତ୍ତମାନ ପରିସ୍ଥିତିର ଆମେ ମଧ୍ୟ ସଫଳ ମୁକାବିଲା କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ ଆଶାବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ଆମର କୋଭିଡ ମୁକାବିଲା ପାଇଁ ଆମର ଥିବା ପ୍ରସ୍ତୁତିକୁ ପୁଣି ଥରେ ପୁନଃ ସକ୍ରିୟ କରିବା ସହିତ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କ ସମତେ ଏଥିରେ ସଂଶ୍ଲିଷ୍ଟ ସବୁ ଅଧିକାରୀମାନଙ୍କୁ ଜାଗତିଆର ରଖିବା ପାଇଁ ପରାମର୍ଶ ଦେଇଥିଲେ।

କୋଭିଡ ନିୟମର ଯେପରି କଡାକଡି ପାଳନ କରାଯିବ, ସେଥିପ୍ରତି ସତର୍କ ପଦକ୍ଷେପ ନେବାପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା ଆଦି କୋଭିଡ ନିୟମ ସଂପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ମିଶନ ଶକ୍ତି ଗ୍ରୁପ ପର୍ଯ୍ୟନ୍ତ ସମାଜର ସବୁ ବର୍ଗର ଲୋକଙ୍କୁ ସାମିଲ କରି ସଚେତନତା ତଥା କୋଭିଡ ନିୟମ ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।