ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ୱର୍ଗତଃ ନବ ଦାସ ହତ୍ୟାକାଣ୍ଡକୁ ନେଇ ୨ ଦିନ ହେବ ବିରୋଧୀଙ୍କ ହଟ୍ଟୋଗଳ ଯୋଗୁ ଗୃହ ଅଚଳ ହୋଇ ପଡ଼ିଥିଲା । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୃହରେ ବକ୍ତବ୍ୟ ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଦୁଃଖ ଓ ବେଦନାଦାୟକ । ନବ ଦାସଙ୍କୁ ପୁଲିସ ଏଏସଆଇ ଗୋପାଳ ଦାସ ଗୁଳି ଚଳାଇ ହତ୍ୟା ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଏହାର ତଦନ୍ତ ଦାୟିତ୍ୱ ତୁରନ୍ତ କ୍ରାଇମବ୍ରାଞ୍ଚକୁ ଅର୍ପଣ କରାଯାଇଥିଲା । ତଦନ୍ତରେ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ମୋ ସରକାର ମାନ୍ୟବର ହାଇକୋର୍ଟଙ୍କ ଜଣେ କାର୍ଯ୍ୟରତ/ଅବସରପ୍ରାପ୍ତ ହାଇକୋର୍ଟ ଜଜଙ୍କୁ ମନୋନୀତ କରି ଏହାର ତଦନ୍ତ କାର୍ଯ୍ୟ ତଦାରଖ କରିବା ଲାଗି ଅନୁରୋଧ କରିଥିଲେ । ମାନ୍ୟବର ହାଇକୋର୍ଟ ଏହି ତଦନ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସଙ୍କୁ ମନୋନୀତ କରିଛନ୍ତି । ଏଭଳି ମାମଲାରେ ଅପରାଧୀର ବ୍ୟବହାରିକ ବିଶ୍ଲେଷଣ କ୍ଷେତ୍ରରେ ବିଶେଷ ଦକ୍ଷତା ଅର୍ଜନ କରିଥିବା ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସିଦ୍ଧ ଅନୁଷ୍ଠାନ ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନର ସହାୟତା ନେବା ପାଇଁ ରାଜ୍ୟ କ୍ରାଇମବ୍ରାଞ୍ଚ ଉଦ୍ୟମ କରୁଛି । ଆମେରିକାର ଏଫବିଆଇ ସଂସ୍ଥାର ବିହେବରାଲ ସପୋର୍ଟ ୟୁନିଟ ଦ୍ୱାରା ଅଭିଯୁକ୍ତର ବ୍ୟବହାରିକ ମୂଲ୍ୟାୟନ କରିବାରେ ସାହାଯ୍ୟ କରିବା ପାଇଁ ଓଡ଼ିଶା ସରକାର ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସହାୟତା କାମନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି କହିଛନ୍ତି ଯେ, ଦେଶ ତଥା ଦେଶ ବାହାରର ପ୍ରତିଷ୍ଠିତ ଫରେନସିକ ବିଶେଷଜ୍ଞଙ୍କ ସହାୟତା ନେଇ ଏହି ମାମଲାର ସମ୍ପୂର୍ଣ୍ଣ ନିରପେକ୍ଷ ଓ ମୁକ୍ତ ତଦନ୍ତକୁ ସୁନିଶ୍ଚିତ କରିବା ଦିଗରେ ଆମେ ସମସ୍ତ ପଦକ୍ଷେପ ନେବୁ ବୋଲି ମୁଁ ଏହି ଗୃହକୁ ପୁନଃ ପ୍ରତିଶ୍ରୁତି ଦେବାକୁ ଚାହୁଁଛି ।