ରୁଦ୍ରଙ୍କ ବିଜୟ ପ୍ରଦୀପ ମହାରଥୀଙ୍କ ପାଇଁ ହେବ ପ୍ରକୃତ ଶଦ୍ଧାଞ୍ଜଳି

ପିପିଲି,ଏନ୍ଏନ୍ଏସ୍: ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ହେବାକୁ ଥିବାବେଳେ ୧୫ରେ ନିର୍ବାଚନ ପ୍ରଚାର ଶେଷ ହେବ। ନିଜନିଜ ପ୍ରାର୍ଥୀ ପାଇଁଁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ଏହି ଅବସରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ଣରେ ଭର୍ଚ୍ଚୁଆଲ୍ ରେ ଭୋଟଭିକ୍ଷା କରିଥିଲେ। ଏଥିପାଇଁ ବିଜେଡି ପକ୍ଷରୁ ପିପିଲିରେ ୩ ଟିସ୍ଥାନ ଏବଂ ଡେଲାଙ୍ଗରେ ୩ ଟି ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କର ଭର୍ଚ୍ଚୁଆଲ୍ ସଭା ହୋଇଥିଲା। ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯେ, କୋଭିଡ ପାଇଁ ସେ ପିପିଲି-ଡୋଲାଙ୍ଗ ଅଞ୍ଚଳକୁ ଆସି ପାରିନାହାଁନ୍ତି। କିନ୍ତୁ ପିପିଲି-ଡେଲାଙ୍ଗବାସୀ ତାଙ୍କ ହୃଦୟରେ ସବୁବେଳେ ଅଛନ୍ତି। ପିପିଲି ଚାନ୍ଦୁଆ ଓଡିଶା ପାଇଁ ସୁନାମ ଆଣିଛି। ସେ ମାଟିକୁ ମୋର ପ୍ରଣାମ। ପିପିଲି ଯାଇଥିଲେ ପିପିଲିବାସୀଙ୍କ ଭଲ ପାଇବା ପାଇପାରିଥାନ୍ତି। କୋଭିଡ୍ ଯୋଗୁଁ ଯାଇ ପାରିଲିନି। ନିର୍ବାଚନ ପରେ ନିଶ୍ଚିତ ପିପିଲି-ଡେଲାଙ୍ଗ ଅଞ୍ଚଳକୁ ଯିବି। ମୋର ଅନୁରୋଧ ଆପଣମାନେ ସ୍ୱର୍ଗତ ପ୍ରଦୀପ ମହାରଥୀ ପୁତ୍ରରୁଦ୍ର ପ୍ରତାପ ମହାରଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ବିଜୟକରାନ୍ତି। ଏହା ପ୍ରଦୀପ ମହାରଥୀଙ୍କ ପାଇଁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ। ଏବଂ ପିପିଲି-ଡେଲାଙ୍ଗର ବିକାଶକୁ ଆଗେଇ ନେବାରେ ସଫଳ ହେବ । ତେବେ ଆଜିରଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଶାନ୍ତ ମୁଦୁଲି, ପ୍ରଣବ ପ୍ରକାଶ ଦାଶ,  ରାଜେନ୍ଦ୍ର ସାହୁ, ସୁଧୀର ସାମଲ, ସାଂସଦ ପିନାକୀ ମିଶ୍ର, ମୁନାଖାଁ, ସ୍ନେହାଙ୍ଗିନ ଛୁରିଆ, ଅଶୋକ ପଣ୍ଡା, ସଂଗ୍ରାମ ପାଇକରାୟ, ସମୀର ଦାଶଙ୍କ ସହିତ ବହୁ ବିଜେଡି ନେତା ସାମିଲ ହୋଇଥିଲେ। ସେହିପରି ସଞ୍ଜୟ ଦାସ ବର୍ମା, ବ୍ୟୋମକେଶ ରାୟ, ଅତନୁ ସବ୍ୟସାଚ୍ଚି ନାୟକ, ଶ୍ରୀକାନ୍ତ ସାହୁ, ଚିନ୍ମୟ ସାହୁ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।