ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର, ତଟରକ୍ଷୀ ବାହିନୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

ଭୁବନେଶ୍ବର,ଏନ୍ଏନ୍ଏସ୍: ଅଶାନ୍ତ ସମୁଦ୍ରରେ ଫସିଥିବା ସମସ୍ତ ୧୧ ମତ୍ସ୍ୟଜୀବୀ ଉଦ୍ଧାର ହୋଇଛନ୍ତି । ସୁରକ୍ଷିତ ଭାବେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପରେ ତଟରକ୍ଷୀ ବାହିନୀକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି ।

ଇଣ୍ଡିଆନ କୋଷ୍ଟ ଗାର୍ଡ, ଏସଆରସି, ଅଗ୍ନିଶମ ବିଭାଗ, ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ତ୍ବରିତ ଓ ସମନ୍ଵୟ ରକ୍ଷା କରି ୧୧ ଜୀବନ ରକ୍ଷା କରିଥିବାରୁ ସମସ୍ତେ ପ୍ରଶଂସାର ପାତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ଅପରାହ୍ନ ପ୍ରାୟ ୪.୪୫ ମିନିଟ ସମୟରେ ଗଞ୍ଜାମ ଜିଲ୍ଲାର ୧୧ ମତ୍ସ୍ୟଜୀବୀ ଅଶାନ୍ତ ସମୁଦ୍ରରେ ଫସି ରହିଥିଲେ । ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପାଇଁ ଗଞ୍ଜାମ ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଥିଲେ ।

ରାଜ୍ୟ ସରକାରଙ୍କ ଠାରୁ ସୂଚନା ପାଇ କୋଷ୍ଟ ଗାର୍ଡ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ବିଶାଖାପାଟଣାରୁ ଓଡ଼ିଶା ଫେରୁଥିବା ସମୟରେ ଅଶାନ୍ତ ସମୁଦ୍ରରେ ଫସିଯାଇଥିଲା ବୋଟ । ବୋଟରେ ଫସିଥିବା ସମସ୍ତ ୧୧ ଓଡ଼ିଆ ମତ୍ସ୍ୟଜୀବୀ ବ୍ରହ୍ମପୁରର ଚିକିଟି ଅଞ୍ଚଳର ଥିଲେ । ବିଶାଖାପାଟଣାରୁ ଓଡ଼ିଶା ଫେରିବା ବେଳେ ପତିଶୋମାପୁର ନିକଟରେ ଏହି ଅଘଟଣ ଘଟିଥିଲା ।