ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀନି ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାକୁ ନେଇ ସେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଏହାପୂର୍ବରୁ ସେ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ କରିବେ ବୋଲି ସ୍ପଷ୍ଟ କରିଥିଲେ।

ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ଯେ, “ରାଷ୍ଟ୍ରପତି ପ୍ରାର୍ଥୀନି ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହୋଇ ତାଙ୍କୁ ନିର୍ବାଚନ ପାଇଁ ଶୁଭେଚ୍ଛା ଜଣାଇଲି। ତାଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ବ ଓଡିଶାବାସୀଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ। ଓଡ଼ିଶାରୁ ସମସ୍ତ ଭୋଟ ପାଇବେ ବୋଲି ମୁଁ ଆଶା କରୁଛି।”

ନାମାଙ୍କନ ଦାଖଲ କରିବା ପୂର୍ବରୁ ବିରୋଧୀ ନେତାମାନଙ୍କୁ ଫୋନ୍‌ କରି ସମର୍ଥନ ଲୋଡିଥିଲେ ଦ୍ରୌପଦୀ ମୁର୍ମୁ। ଦ୍ରୌପଦୀ ପ୍ରଥମେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱର ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖଙ୍କୁ ଫୋନ୍‌ କରି ତାଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ମିଳିତ ବିରୋଧୀ ଦଳ ଟିଏମସି ନେତା ତଥା ବରିଷ୍ଠ ରାଜନେତା ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି। ବିରୋଧୀ ପ୍ରାର୍ଥୀ ଯଶୱନ୍ତ ଜୁନ୍‌ ୨୭ ତାରିଖରେ ନିଜର ନାମାଙ୍କନ ଦାଖଲ କରିବେ। ଏନ୍‌ଡିଏ ପ୍ରାର୍ଥୀନି ଦ୍ରୌପଦୀ ମୁର୍ମୁ ନାମାଙ୍କନ ଦାଖଲ କରିଛନ୍ତି । ଦ୍ରୌପଦୀଙ୍କ ପାଇଁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ପ୍ରସ୍ତାବକ ଥିବା ବେଳେ, ପ୍ରଥମ ଅନୁମୋଦକ ରହିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।