୪ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ, ପ୍ରଶାସନକୁ ସହଯୋଗ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର,ଏନ୍ଏନ୍ଏସ୍: ବଙ୍ଗୋପସାଗରର ଉତ୍ତରପଶ୍ଚିମ ଓ ଉତ୍ତରପୂର୍ବ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଏନେଇ ଆଇଏମଡ଼ି ପକ୍ଷରୁ ସୂଚନା ମିଳିବା ପରେ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୟଭୀତ ନ ହୋଇ ନିଜ ପରିବାର ସହିତ ସୁରକ୍ଷିତ ରହିବାକୁ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ଲଘୁଚାପ ପ୍ରଭାବରେ ଆଜି ରାତିରେ ରାଜ୍ୟରେ ୪ଟି ଜିଲ୍ଲା ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀ ଟ୍ବିଟ ଯୋଗେ ରାଜ୍ୟବାସୀଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି । ସୂଚନା ଥାଉ କି ଆଜି ସନ୍ଧ୍ୟା ସୁଦ୍ଧା ଏହା ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ବାଲେଶ୍ବର ଏବଂ ସାଗର ଦ୍ବୀପକୁ ଅତିକ୍ରମ କରିବ ।

ଏହାପରେ ପଶ୍ଚିମ-ଉତ୍ତରପଶ୍ଚିମାଞ୍ଚଳ ଦେଇ କ୍ରମଶଃ ଏହା ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଦିଗରେ ଗତି କରି ଦୁର୍ବଳ ହୋଇଯିବ । ଏହାର ପ୍ରଭାବରେ ୪ ଜିଲ୍ଲା ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝରରେ ଅତି ପ୍ରବଳ ବର୍ଷା ହେବ ।