ମେକ-ଇନ-ଓଡ଼ିଶାକୁ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରମାନଙ୍କୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ନଭେମ୍ବରରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ମେକ୍-ଇନ-ଓଡ଼ିଶା ସମ୍ମିଳନୀରେ ଯୋଗ ଦେବାକୁ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରସଂଘ ବା ଏସିଆନ ରାଷ୍ଟ୍ରସମୂହଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଶୁକ୍ରବାରଦିନ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଭାରତରେ ଅବସ୍ଥାପିତ ଏସିଆନ ଦେଶମାନଙ୍କ ରାଷ୍ଟ୍ରଦୂତମାନଙ୍କୁ ଭେଟିଛନ୍ତି । ଏସିଆନ ଦେଶମାନଙ୍କ ସହ ଓଡ଼ିଶାର ବାଣିଜ୍ୟିକ ଓ ସାଂସ୍କୃତିକ ସଂପର୍କକୁ ଆହୁରି ଘନିଷ୍ଠ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ ।

ମେକ-ଇନ-ଓଡ଼ିଶା ସମ୍ମିଳନୀକୁ ଏସିଆନ ରାଷ୍ଟ୍ରଦୂତ ଓ ବାଣିଜ୍ୟିକ ପ୍ରତିନିଧିମଣ୍ଡଳମାନଙ୍କୁ ସେ ଆମନ୍ତ୍ରଣ ଜଣାଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଓଡ଼ିଶାରେ ପ୍ରାକୃତିକ ସମ୍ବଳରେ ପରିପୂର୍ଣ୍ଣ ଓ ଏଠାରେ ବୃହତ ବନ୍ଦର ରହିଛି । ଏଣୁ ଓଡ଼ିଶା ଏସିଆନ ଅଂଚଳ ପାଇଁ ଏକ ଦ୍ବାରଦେଶ ହୋଇପାରିବ ।

ଯେହେତୁ ଆମେ ଏକ ଆଧୁନିକ ଦୁନିଆକୁ ଯାଉଛେ ଓ ଟେକ୍ନୋଲୋଜି ମାଧ୍ୟମରେ ଅଧିକରୁ ଅଧିକ ସଂଯୁକ୍ତ ହେଉଛେ, ଆଶା କରୁଛି ଯେ ଆମେ ଓଡ଼ିଶା ଓ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ବଢାଇପାରିବା ବୋଲି ନବୀନ କହିଛନ୍ତି।

“ମୁଁ ଆଶା କରୁଛି ଯେ ଆଗାମୀ ବର୍ଷଗୁଡ଼ିକରେ ଆମେ ଆମର ବାଣିଜ୍ୟ ସମ୍ପର୍କକୁ ଆହୁରି ମଜବୁତ କରିପାରିବା ଏବଂ ମୁଁ ଆହୁରି ମଧ୍ୟ ଆଶା କରୁଛି ଯେ ଆମେ ଆମର ସାଂସ୍କୃତିକ ସମ୍ପର୍କ ବୃଦ୍ଧି କରିପାରିବା ଏବଂ ଅଧିକ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଆଣିପାରିବା” ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଥାଇଲାଣ୍ଡର ରାଷ୍ଟ୍ରଦୂତ ପଟାରଟ୍ ହଙ୍ଗଟଙ୍ଗଙ୍କ ନେତୃତ୍ବରେ ଏକ ଏସିଆନ ପ୍ରତିନିଧିମଣ୍ଡଳ ୩ ଦିନିଆ ଓଡ଼ିଶା ଗସ୍ତ ସଂପୂର୍ଣ୍ଣ କରିଛନ୍ତି ।