ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ଲୋକାର୍ପିତ ହେଲା ୨ ସ୍କୁଲ

ଭୁବନେଶ୍ୱର: ଲୋପାର୍ପିତ ହେଲା ଭୀମ ଭୋଇ ଦୃଷ୍ଟିହୀନ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ଏହି ହୁଇ ସ୍କୁଲକୁ ଲୋକାର୍ପିତ କରିଥିଲେ । ଏହା ଦ୍ଵାରା ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଦୃଷ୍ଟିବାଧିତ ଓ ଶ୍ରୁତିବାଧିତ ପିଲାମାନେ ଆସି ଛାତ୍ରାବାସରେ ରହି ଯୁକ୍ତ ୨ ପଢ଼ିବାର ସୁଯୋଗ ପାଇ ପାରିବେ । ପୂର୍ବରୁ ଏହି ପିଲା ସାଧାରଣ ବର୍ଗର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢୁଥିଲେ । ସେମାନଙ୍କ ପାଇଁ ସେଠାରେ ବିଶେଷ ସୁବିଧା ଉପଲବ୍ଧ ନଥିଲା ।

ଛାତ୍ରଛାତ୍ରୀଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଧନ୍ଦାମୂଳକ ଶିକ୍ଷାରେ ଆଇ.ଟି ଓ ଆଇ.ଟି. ସମ୍ବଳିତ ସେବା ବିଷୟରେ ଶିକ୍ଷାଦାନର ସୁବିଧା କରାଯାଇଛି । ଭୀମ ଭୋଇ ଦୃଷ୍ଟିବାଧିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା ବିଷୟ ସହିତ ଆଇ.ଟି ଖୋଲାଯାଇଛି । ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳରେ ବିଜ୍ଞାନ ବିଷୟ ସହିତ ଆଇ.ଟି ଶିକ୍ଷାର ସୁଯୋଗ ସୃଷ୍ଟି କରାଯାଇଛି । ଏହି ଅବସରରେ ଦୃଷ୍ଟିବାଧିତ ପିଲାଙ୍କ ନିମନ୍ତେ ଉଦ୍ଦିଷ୍ଟ ଅଡ଼ିଓ ଷ୍ଟୁଡିଓ ଓ ଶ୍ରୁତିବାଧିତ ପିଲାଙ୍କ ନିମନ୍ତେ ଭର୍ଚ୍ଚୁଆଲ ଷ୍ଟୁଡିଓକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ। ଏଥି ସହିତ ଦୁଇ ବିଦ୍ୟାଳୟର ସମସ୍ତ ପିଲାଙ୍କୁ ନୂଆ ସ୍କୁଲ ବ୍ୟାଗ, ଦୃଷ୍ଟିହୀନ ପିଲାଙ୍କ ପାଇଁ ବ୍ରେଲିସ୍ଲେଟ, ବିଭିନ୍ନ ପ୍ରକାର ଖେଳ ସାମଗ୍ରୀ ମୁଖ୍ୟମନ୍ତ୍ରୀ ବଣ୍ଟନ କରିଥିଲେ ।

ଉଭୟ ଛାତ୍ରାବାସର ଅନ୍ତେବାସୀଙ୍କ ବ୍ୟବହାର ନିମନ୍ତେ ନୂଆ ବିଛଣା, ଖାଇବା ବାସନ ଆଦି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପ୍ରଦାନ କରଯାଇଛି । ଏଥି ସହିତ ଥଣ୍ଡା ପାନୀୟ ଜଳ ସୁବିଧା ପାଇଁ ଫ୍ରିଜ , ଶିକ୍ଷଣ କାର୍ଯ୍ୟକ୍ରମ ଓ ମନୋରଞ୍ଜନ ପାଇଁ ଉଭୟ ଛାତ୍ରାବାସକୁ ଟିଭି ପ୍ରଦାନ କରାଯାଇଛି । ଏହି ଦୁଇ ବିଦ୍ୟାଳୟର ଶିକ୍ଷକ – ଛାତ୍ର ଅନୁପାତ ପ୍ରତି ଦଶ ଜଣ ଛାତ୍ର ପାଇଁ ଜଣେ ଶିକ୍ଷକ ଅଛନ୍ତି । ଭୀମ ଭୋଇ ଦୃଷ୍ଟିବାଧିତ ବିଦ୍ୟାଳୟରୁ ଚଳିତ ବର୍ଷ ୧୦ ଜଣ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତି ବାଧିତ ବିଦ୍ୟାଳୟରୁ ୧୪ ଜଣ ଛାତ୍ର ଛାତ୍ରୀ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀନ୍ନ ହୋଇଛନ୍ତି । ଏଠାରେ ପିଲାମାନଙ୍କର ମାଗଣାରେ ନାମ ଲେଖାଇବାର ବ୍ୟବସ୍ଥା କରାଯାଇଛି ।

୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ଦୁଇ ବିଦ୍ୟାଳୟରେ ଉପଯୋଗୀ ସ୍ମାର୍ଟ ଶ୍ରେଣୀ ଗୃହ, ଇ-ପାଠାଗାର, ବିଜ୍ଞାନାଗାର, ବିଭିନ୍ନ ଖେଳ ସୁବିଧା ଆଦି କରାଯାଇଛି । ଆଜି ଦୁଇ ବିଦ୍ୟାଳୟରେ ସରକାର ଉଚ୍ଚ ମାଧ୍ୟମିକ ଖୋଲିବାର ଆଦେଶନାମା ଛାତ୍ର, ଶିକ୍ଷକ ଓ ଅଭିଭାବକ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ପ୍ରାରମ୍ଭରେ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ପିଲାମାନେ ବାଦ୍ୟ ଓ ସଂଗୀତ ପରିବେଷଣ କରି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଉପସ୍ଥିତ ରହି ଉଭୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

ଏହି ଲୋକାର୍ପଣ ଉତ୍ସବରେ ୫-ଟି ସଚିବ ଭି. କେ ପାଣ୍ଡିଆନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଅଶ୍ୱଥି ଏସ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର ଆୟାର, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ଖୋର୍ଦ୍ଧା ଜିଲ୍ଲାପାଳ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ପରେ ମୁଖ୍ୟମନ୍ତ୍ରୀ ରାଜ୍ଯ ପଣ୍ୟାଗାର ନିଗମର କର୍ପୋରେଟ ବିଲଡ଼ିଂର ଶିଳାନ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଅନନ୍ତ ନାରାୟଣ ଜେନା, ରାଜ୍ଯ ପଣ୍ୟାଗାର ନିଗମର ଅଧ୍ୟକ୍ଷ ପ୍ରମୂଖ ଉପସ୍ଥିତ ଥିଲେ ।