ସାଇବର ସୁରକ୍ଷା ଅଭିଯାନ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି । ୩୪ଟି ସାଇବର ସୁରକ୍ଷା ରଥ ଆଜିଠାରୁ ସାରା ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରି ସାଇବର ସୁରକ୍ଷା ସମ୍ପର୍କରେ ସଚେତନାର ବାର୍ତ୍ତା ପ୍ରଦାନ କରିବ । ଏହି ଅବସରରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱରର ୨ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଷାନ୍ତ ରାଉତ, ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ପି.କେ. ଜେନା ଓ ଡିଜିପି ସୁନିଲ କୁମାର ବଂଶଲ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅଭିଯାନରେ ଜିଲ୍ଲା ପ୍ରଶାସନ ତରଫରୁ ସାଇବର ସୁରକ୍ଷା ରଥକୁ ସ୍ୱାଗତ କରାଯିବ । ପ୍ରତିଦିନ ଅତି କମରେ ୨ଟି ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ କରାଯିବ । ଏହାସହ ବ୍ଲକ ଓ ପୁଲିସ ଷ୍ଟେସନ ଅଞ୍ଚଳରେ ଥିବା ବିଭିନ୍ନ ଜନଗହଳି ସ୍ଥାନ ଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସ୍କୁଲ ଓ କଲେଜ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ ପ୍ରତିଯୋଗୀତା କରାଯିବ ।

ଅକ୍ଟୋବର ୮ ତାରିଖ ସକାଳେ ବିଭିନ୍ନ ସହରାଞ୍ଚଳରେ ମିନି ମାରାଥନ୍ ଆୟୋଜନ କରାଯିବ । ୧୪ ତାରିଖରେ ବରିଷ୍ଠ ନାଗରିକଙ୍କୁ ସଚେତନ କରିବାକୁ ଇଭନିଙ୍ଗ ୱାକ୍ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ୧୫ ତାରିଖରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହିତ ପଦ୍ମ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ବ୍ୟକ୍ତିଗଣ ଓ ସ୍ୱାଧୀନତା ସଂଗ୍ରାମୀମାନେ ଉପସ୍ଥିତ ରହିବେ । ଏହି ଅଭିଯାନରେ ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତି ସଦସ୍ୟ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପଞ୍ଚାୟିତରାଜ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିବେ ।

ସୂଚନାଯୋଗ୍ୟ, ଗତ କିଛି ବର୍ଷ ମଧ୍ୟରେ ସାରା ଦେଶ ଓ ରାଜ୍ୟରେ ସାଇବର ଅପରାଧର ମାତ୍ରା ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି । ସଚେତନତା ଓ ସତର୍କତା ଏହାକୁ ରୋକିବାର ଏକ ପ୍ରମୁଖ ଉପାୟ । ତେଣୁ ସାରା ରାଜ୍ୟରେ ସବୁ ସ୍ତରରେ ଏନେଇ ସଚେତନତା ଆଣିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ସତର୍କ ଓ ସୁରକ୍ଷିତ ରହିବାକୁ ଆହ୍ୱାନ ଦେଇଛନ୍ତି ।