ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ବିଜେଡି ପକ୍ଷରୁ ସଫେଇ ଓ ରକ୍ତଦାନ ଶିବିର

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲା ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ତମ ଶ୍ରାଦ୍ଧ ଦିବସକୁ ସମାଜ ସେବା ଉଦ୍ଦେଶ୍ୟରେ ସମର୍ପିତ କରାଯାଇ ସଫେଇ, ରକ୍ତଦାନ ଶିବିର ଓ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ବିଜେଡି ସଭାପତି ରମେଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଈଶ୍ୱର ପାଣିଗ୍ରାହୀ ଓ ସହପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ରଙ୍କ ଉପସ୍ଥିତିରେ ନବରଙ୍ଗପୁର ବସଷ୍ଟାଣ୍ଡରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହ ମାଝିଗୁଡ଼ାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ଏହାସହ ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପରେ ଏକ ସ୍ମୁତି ଚାରଣ ସଭାର ଆୟୋଜନ କରାଯାଇଛି । ଜିଲ୍ଲା ବିଜେଡ଼ି ପକ୍ଷରୁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଦୀପ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏପରି ଭାବରେ ବିଭିନ୍ନ କାର୍ଯ୍ୟକ୍ରମ ବିଜୁ ଜନତା ଦଳ ପକ୍ଷରୁ ଆୟୋଜନ କରାଯାଇଛି । ବିଜୁ ପଟ୍ଟନାୟକଙ୍କ ଏକ ଉନ୍ନତ ବିକାଶଶୀଳ ଶ୍ରେଷ୍ଠ ଓଡ଼ିଶା ଗଠନ କରିବା ହିଁ ପ୍ରବାଦ ପୁରୁଷଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଉପସ୍ଥିତ ନେତାମାନେ ପ୍ରକାଶ କରିଥିଲେ । ଏହାସହ ନବରଙ୍ଗପୁର ଜିଲ୍ଲା ଗଠନର ସେ ଜଣେ ବିନ୍ଧାଣୀ ଏଣୁ ଜିଲ୍ଲାବାସୀ ତାଙ୍କର ଅବଦାନକୁ ଭୁଲିପରିବେ ନାହିଁ ବୋଲି ନେତାମାନେ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ନାରାୟଣ ପାତ୍ରଙ୍କ ସମେତ ତାପସ ତ୍ରିପାଠୀ, ପ୍ରମୋଦ ରଥ, ରବି ପଟ୍ଟନାୟକ, ଦିଲୁ ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଭୀମ ହରିଜନ, ଅଖିଳ ଭତରା, ସଞ୍ଜୟ ନାୟକ, ପ୍ରଫୁଲ୍ଲ ପଣ୍ଡା, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ମଞ୍ଜୁଳା ମାଝୀଙ୍କ ସମେତ ବହୁ ଛାତ୍ର, ଯୁବ, ମହିଳା ବିଜେଡି ନେତା ଓ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ ।