ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଉଦଘାଟନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ସ୍ଥିତି ବିନ୍ଦୁ ସାଗରର ସଫେଇ ଓ ନବୀକରଣ ପାଇଁ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଉଦଘାଟନ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଉଦଘାଟନୀ ସଭାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ପଦ୍ମଶ୍ରୀ ରଘୁନାଥ ମହାପାତ୍ର ପ୍ରମୁଖ ବ୍ୟକ୍ତି ଯୋଗ ଦେଇଛନ୍ତି।

ଇଣ୍ଡିଆନ ଅଏଲର ସିଏସଆର ପାଣ୍ଠିରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିନ୍ଦୁ ସାଗରର ସଫେଇ କରାଯିବ ବୋଲି ଜଣାପଡ଼ିଛି। ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡର ସହଯୋଗିତାରେ ଏହା କାର୍ଯ୍ୟକାରୀ ହେବ।

ବିନ୍ଦୁ ସାଗର ଜଳକୁ ସ୍ୱଚ୍ଛ ଏବଂ ନିର୍ମଳ ରଖିବାପାଇଁ ହାଇଡ୍ରୋ ଡାଇନାମିକ କ୍ୟାବିଟେସନ ନାମକ ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହାର କରାଯିବ। ଆବଶ୍ୟକ ହେଲେ କେମିକାଲ ମଧ୍ୟ ପ୍ରୟୋଗ କରାଯାଇପାରେ। ୩ ବର୍ଷ ପାଇଁ ଭୁବନେଶ୍ୱର ଆଇଟିସି-ଆଇସି ନିଷୋଧନ ଯନ୍ତ୍ରର ରକ୍ଷଣାବେକ୍ଷଣ ଦାୟିତ୍ୱ ବହନ କରିବ। ବିଶୋଧନ ପାଇଁ ରାଜ୍ୟ ସରକାର ମାଗଣାରେ ବିଦ୍ୟୁତ୍ ଯୋଗାଇ ଦେବେ।