୫ ମହାନଗର ନିଗମରେ ନିଯୁକ୍ତ ହେବେ ସିଟି ଏଜୁକେସନ ଅଫିସର

ଭୁବନେଶ୍ୱର: ରାଜ୍ୟର ନଗରାଞ୍ଚଳ ଶିକ୍ଷା ବ୍ୟବସ୍ଥା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ନିଯୁକ୍ତ ହେବେ ସିଟି ଏଜୁକେସନ ଅଫିସର(ସିଇଓ) । ରାଜ୍ୟର ୫ ମହାନଗର ନିଗମରେ ନିଯୁକ୍ତ ପାଇବେ ଏହି ଅଫିସର । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସହର ଶିକ୍ଷା ଅଧିକାରୀ ଦାୟିତ୍ୱ ପ୍ରଦାନ କରାଯାଇଛି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶିକ୍ଷାବ୍ୟବସ୍ଥା ସାଙ୍ଗକୁ ଭିତ୍ତିଭୂମି, ପିଲାଙ୍କ ଲାଗି ମୌଳିକ ସୁବିଧାର ବ୍ୟବସ୍ଥା, ଅଭିଭାବକଙ୍କ ବିଭିନ୍ନ ସମସ୍ୟା ସହ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ସିଇଓ । ରାଜ୍ୟରେ ୫ ମହାନଗରରେ ଏହା ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ ହେବାକୁ ଯାଉଥିବା ବେଳେ ଖୁବଶୀଘ୍ର ରାଜ୍ୟର ସବୁ ଜିଲ୍ଲାରେ ଏହା କାର୍ଯ୍ୟକାରୀ କରାଯିବ । ମାତ୍ର ଏହି ବ୍ୟବସ୍ଥାକୁ ଅଭିଭାବକ ମହାସଂଘ ପକ୍ଷରୁ ନିନ୍ଦା କରାଯାଇଛି ।

ଏଡିଇଓ ପରିବର୍ତ୍ତେ ଡିଇଓ ରାଙ୍କ ଅଧିକାରୀଙ୍କୁ ସହର ଶିକ୍ଷା ଅଧିକରୀ ଦାୟିତ୍ୱ ସହ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ପରିଚାଳନା କମିଟିରେ କର୍ପୋରେଟରଙ୍କୁ ସାମିଲ କରିବାକୁ ଓଡ଼ିଶା ଅଭିଭାବକ ମହାସଂଘ ଦାବି ଜଣାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ ମ୍ୟୁନିସିପାଲ୍ କର୍ପୋରେସନ ଅଞ୍ଚଳ ଶିକ୍ଷା ବ୍ୟବସ୍ଥା ପାଇଁ ବହୁତ ଗୁରୁତ୍ୱପର୍ଣ୍ଣ । ଏଠି ଓଡ଼ିଶାର ସବୁଠାରୁ ବଡ଼ ବଡ଼ ପ୍ରଭାବଶାଳୀ ସ୍କୁଲ ମାଲିକ ସ୍କୁଲ ଚଳାଉଛନ୍ତି । ଯେଉଁଠି ଜିଲ୍ଲା ଶିକ୍ଷା ଅଧିକାରୀ ପାରୁନାହାନ୍ତି; ସେଠି ଜଣେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କ’ଣ କରିବେ, ତାହା ପୁଣି ଅତିରିକ୍ତ ଦାଇତ୍ୱ । ମେୟର ଓ କମିଶନରଙ୍କୁ ଜଣେ ବରିଷ୍ଠ ଜିଲ୍ଲା ଶିକ୍ଷା ଅଧିକାରୀ ରାଙ୍କ ଅଫିସର ଦେବା କଥା । ସେମାନେ ସହରାଞ୍ଚଳରେ ଥିବା ସ୍କୁଲ୍‌ର ବ୍ୟବସ୍ଥା ବିଷୟରେ ବୁଝିବେ । ଜଣେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସ୍କୁଲ ପରିସରରେ ପଶି ରିପୋର୍ଟ ଆଣିବା କଷ୍ଟ । ସେ କ’ଣ ଅଭିଭାବକ ମାନଙ୍କୁ ନ୍ୟାୟ ଦେବେ । ଏହାକୁ ଗୁରୁତ୍ୱ ଦେଇ ସମାନ ଭାବେ ଜଣେ ଜିଲ୍ଲା ଶିକ୍ଷା ଅଧିକାରୀ ରାଙ୍କ ଅଫିସରଙ୍କୁ ନିଯୁକ୍ତି ଦିଆଯାଉ ବୋଲି ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋୟୀ ସୂଚନା ଦେଇଛନ୍ତି ।