ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି: ୩୦ ସୁଦ୍ଧା ସିସିଟିଭି ସ୍ଥିତି ଜଣାଇବାକୁ ଚିଠି

ଭୁବନେଶ୍ବର,ଏନ୍ଏନ୍ଏସ୍‌: ଯୁକ୍ତ ଦୁଇ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପରୀକ୍ଷା ହଲ, ଲାବୋରେଟୋରୀ ଏବଂ ଷ୍ଟ୍ରଙ୍ଗରୁମ୍ ଆଦିରେ ପୂର୍ବରୁ ଲାଗିଥିବା ସିସିଟିଭି କ୍ୟାମେରା କାମ କରୁଛି ନା ନାହିଁ ତାହା ସୁନିଶ୍ଚିତ କରିବାକୁ ସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଯଦି ଏ ପର୍ଯ୍ୟନ୍ତ ସିସିଟିଭି ନଥିବ, ତାହାହେଲେ ଏହା ଲଗାଇବାକୁ କୁହାଯାଇଛି ।

ଆସନ୍ତା ୩୦ ତାରିଖ ସୁଦ୍ଧା ସାମ୍ସ ଇ-ସ୍ପେସରେ ଉପଲବ୍ଧ ଥିବା ସିସିଟିଭି ଲିଙ୍କରେ ସମସ୍ତ ଶିକ୍ଷାନୁଷ୍ଠାନ ସିସିଟିଭି ଷ୍ଟାଟସ ଅପଡେଟ୍ କରିବାକୁ କୁହାଯାଇଛି । ଯେଉଁ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସିସିଟିଭି ସ୍ଥିତି ଜଣାଇବାରେ ବିଫଳ ହେବେ, ସମ୍ପୃକ୍ତ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ଆଡମିଟ୍ କାର୍ଡ ଡାଉନଲୋଡ୍ ଲିଙ୍କ ପ୍ରଦାନ କରାଯିବନି । ସେହିପରି ପରୀକ୍ଷା ପରିଚାଳନା ହବ୍ ଭା‌ବେ ଘୋଷିତ ସ୍ବୟଂଶାସିତ ମହାବିଦ୍ୟାଳୟ ଗୁଡ଼ିକୁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି । ନିଜ ଭିତରେ ଆବଶ୍ୟକ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ ରହିଛି ।